Onn 3

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଭିଭାବକ ବୈଠକ ; ଗୃହ ନିର୍ମାଣ କାର୍ଯ୍ୟ ନେଇ ତୀବ୍ର ପ୍ରତିକ୍ରିୟା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବର୍ତ୍ତମାନ ଅସ୍ଥାୟୀ ଭାବେ ଅସୁରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲୁଅଛି । ଏହାର ସ୍ଥାୟୀ ବିଦ୍ୟାଳୟ କୂଳଗାଁଇଶାଳୋ ହାଣ୍ଡିଭଙ୍ଗା ପଡ଼ିଆରେ ନିର୍ମାଣ କାର୍ଯ୍ୟ ଚାଲିଛି । ଉକ୍ତ ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକାଦାର ଜଣକ ମନମୁଖୀ ଭାବେ ବହୁ ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ବିଗତ ଦୁଇ ବର୍ଷ ହେବ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇପାରୁନାହିଁ । ଯାହାଦ୍ୱାରା ଅସ୍ଥାୟୀ ଗୃହରେ ପଢୁଥିବା ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ ରେ ସମସ୍ୟା ଉପୁଜୁଛି ବୋଲି ବହୁ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଯେଉଁଠି ଅସ୍ଥାୟୀ ଭାବେ ଶିକ୍ଷାଦାନ ଚାଲିଛି ସେଠିକାର ପାରିପାଶ୍ୱର୍ିକ ବ୍ୟବସ୍ଥାରେ ବିଦ୍ୟାର୍ଥୀମାନେ ଅତିଷ୍ଠ ହୋଇ ପଡ଼ୁଛନ୍ତି । ଏଭଳି ସ୍ଥିତିରେ ନିର୍ମାଣଧୀନ ବିଦ୍ୟାଳୟ ଗୃହଟିକୁ କିଭଳି ଶୀଘ୍ର ତଥା ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶେଷ କରାଯିବ ସେ ନେଇ ହୋଇଥିବା ଅଭିଭାବକ ବୈଠକରେ ଯୋରଦାର ଦାବି ହୋଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଏବେ ବହୁ ଅଗ୍ରଗତି କରିଥିବା ବେଳେ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ସେଠାରେ ପାଠପଢା ପାଇଁ ଶ୍ରେଣୀଗୃହ ପ୍ରସ୍ତୁତି ହୋଇଯିବ ବୋଲି ଅଭିଭାବକ ମାନଙ୍କୁ ବୁଝାଇଥିଲେ । ଏହାଛଡ଼ା ଛାତ୍ର ଛାତ୍ରମାନଙ୍କର ଶୈକ୍ଷିକ ଦକ୍ଷତା କିଭଳି ବୃଦ୍ଧି ପାଇବ , ଛାତ୍ର ଛାତ୍ରୀମାନଙ୍କର ପରୀକ୍ଷା ଫଳାଫଳ କିପରି ଭଲ ହେବ ଏବଂ ଅନ୍ୟାନ୍ୟ ବାହ୍ୟ ଜ୍ଞାନ ଆହରଣ ଉପରେ ଶିକ୍ଷକମାନେ ଗୁରୁତ୍ୱାରୋପ କରିବା ପାଇଁ ବହୁ ଅଭିଭାବକମାନେ ସେମାନଙ୍କର ମତାମତ ଦେଇଥିଲେ । ଏ ସଂକ୍ରାନ୍ତରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ କରାଯାଇଥିଲା । ଏହି ବୈଠକରେ ବିଦ୍ୟାଳୟର ଶିକ୍ଷକ ହେମନ୍ତ କୁମାର ସାହୁ, ବନ୍ଦନା ପ୍ରିୟଦର୍ଶିନୀ ସାହୁ, ଲକ୍ଷ୍ମୀଧର ସାହୁ, ସୋନାଲି ମଲିକ, ହେମାଙ୍ଗିନୀ ନାୟକ, ସଚିଦାନନ୍ଦ ବେହେରା, ସାଗର ଦଳାଇ, ବିଜୟୀ ପ୍ରିୟଦର୍ଶିନୀ ଙ୍କ ସମେତ ୧୬୨ ଜଣ ଅଭିଭାବକ ଯୋଗ ଦେଇ ଶୃଙ୍ଖଳିତ ଶିକ୍ଷାଦାନ,ନୂତନ ଗୃହ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା ।