Onn 3

ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଜନସଂପର୍କ ଯାତ୍ରା

State

 

ff

ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଦାବି । କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଆରମ୍ଭ କରିଛି ଶ୍ରୀଜଗନ୍ନାଥ ସେନା । ଜିଲ୍ଳାର କୋଟିଆ ଓ ଗୁପ୍ତେଶ୍ୱର ସମେତ ବିଭିନ୍ନ ଉପାନ୍ତ ଓ ସୀମାନ୍ତ ଅଞ୍ଚଳରେ ଏହି ପଦଯାତ୍ରା କରିବ ସେନା ।

ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ଦାବିକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଏହି ବନ୍ଦ ଡାକରାକୁ ସ୍ଥଗିତ ରଖାଯାଇଛି ।

ଯଦି ଆସନ୍ତା ୨ ମାସ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲା ପ୍ରଶାସନ ଚାରି ଦୁଆର (ଧର୍ମ, ଅର୍ଥ, କାମ, ମୋକ୍ଷ) ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଆଉ ହେବ ନାହିଁ । କିନ୍ତୁ ଯଦି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡ଼ାନ୍ତି ତାହା ହେଲେ ନିଜର ଧାର୍ମିକ ଅଧିକାର ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ଶ୍ରୀ ପ୍ରିୟଦର୍ଶନ ପଟ୍ଟନାୟକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ରାଜ୍ୟର ପୁରପଲ୍ଲୀରେ ଭକ୍ତମାନଙ୍କୁ ଜାଗ୍ରତ କରାଇବା ସହ ସରକାର ଓ ପ୍ରଶାସନ ପକ୍ଷରୁ ଆମକୁ ଦିଆଯାଇଥିବା ଲିଖିତ ପ୍ରତିଶ୍ରୁତିକୁ ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବାର ଗୁରୁ ଦାୟିତ୍ୱ ଓ କାର୍ଯ୍ୟକ୍ରମ ସେନା ପକ୍ଷରୁ ଚାଲୁ ରହିଲା । ଗଞ୍ଜାମରୁ ଗତ ୮ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଗଞ୍ଜାମ ଜିଲାରେ ଲୋକଙ୍କୁ ସଚେତନ କରିବା ପରେ ଏବେ ଖୋର୍ଦ୍ଧାରେ ପହଞ୍ଚିଛି। ଖୋର୍ଦ୍ଧା ଜିଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ସମ୍ପର୍କ ଯାତ୍ରା ପହଞ୍ଚିବ। ଗତ ଅକ୍ଟୋବର ୮ ତାରିଖରେ ଏହିଯାତ୍ରା ଗଞ୍ଜାମରେ ଆରମ୍ଭ ହୋଇଥିଲା। ପରେ ଖୋର୍ଦ୍ଧା ଓ ଏବେ କୋରାପୁଟ ଜିଲ୍ଲାରେ ପହଞ୍ଚିଛି। କୋରାପୁଟ ଜିଲ୍ଲା ପରିଭ୍ରମଣ କରିବା ପରେ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ଶ୍ରୀଜଗନ୍ନାଥ ସେନାର ସଂଘର୍ଷ ଓ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ପହଞ୍ଚିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ ।