Onn 3

ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନର ଶୁଭାରମ୍ଭ କଲେ ରାଷ୍ଟ୍ରପତି

State

● ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦଘାଟିତ; ରାଇରଙ୍ଗପୁର ଡାକ ଡିଭିଜନର ସ୍ବତନ୍ତ୍ର ସ୍ମାରକୀ ଲଫାପା ଉନ୍ମୋଚନ
● ବାଦାମପାହାଡ଼ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ

ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ତା ୨୧.୧୧.୨୦୨୩ ରିଖ ମଙ୍ଗଳବାର ଦିନ ବାମନଘାଟି ଉପଖଣ୍ଡସ୍ଥ ବାଦାମପାହାଡ ରେଲୱେ ଷ୍ଟେସନରେ ତିନୋଟି ନୂତନ ଟ୍ରେନ ଚଳାଚଳ ଶୁଭାରମ୍ଭ କରିବା ସହିତ ପୋଷ୍ଟାଲ ବିଭାଗର ସ୍ବତନ୍ତ୍ର ସ୍ମାରକୀ ଲଫପା ଉନ୍ମୋଚନ ଏବଂ ସ୍ବତନ୍ତ୍ର ରାଇରଙ୍ଗପୁର ପୋଷ୍ଟାଲ୍ ଡିଭିଜନ ଉଦ୍ଘାଟନ କରିଥିଲେ। ଏହି ତିନୋଟି ଟ୍ରେନ ଯଥାକ୍ରମେ ଟାଟାନଗର୍- ବାଦାମପାହାଡ଼ ମେମୁ, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ, ଆଜି ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶା ର ରାଜ୍ୟପାଳ ଶ୍ରୀ ରଘୁବର ଦାସ ସବୁଜ ପତାକା ଦେଖାଇ ବାଦାମ ପାହାଡ ରେଲୱେ ଷ୍ଟେସନ ଠାରୁ ଶୁଭାରମ୍ଭ କରିଥିଲେ। ମହାମହିମ ରାଷ୍ଟ୍ରପତି ମଂଞ୍ଚ ଉପରକୁ ଆସିବା ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଲୋକ କଳାକାର ମାନେ ମାନ୍ୟବର, କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ତଥା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ଵର ଟୁଡୁ, ଏବଂ ଓଡ଼ିଶା ରାଜ୍ୟ ଗଣଶିକ୍ଷା ତଥା ରାଜସ୍ବ ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଙ୍କୁ ମୟୂରଭଞ୍ଜ ର ପାରମ୍ପରିକ ବାଦ୍ୟ ଧ୍ଵନି ତାଳେ ତାଳେ ସ୍ବାଗତ କରି ମଞ୍ଚ ଉପରକୁ ପାଛୋଟି ଆଣି ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଞ୍ଚ ଉପରକୁ ଆସି ଥିବା ସମୟ ରେ ସମସ୍ତ ଜନସମାବେଶ ସେଠାରେ ଦଣ୍ଡାୟମାନ ହୋଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଯେକୌଣସି କ୍ଷେତ୍ରର ବିକାଶ ସେହି ଅଞ୍ଚଳର ସଂଯୋଗ ଉପରେ ନିର୍ଭର କରେ। ସେ ରେଳ, ସଡକ କିମ୍ବା ଡାକ ସେବା ହେଉ – ଏହି ସମସ୍ତ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ | ସେ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ତିନୋଟି ଟ୍ରେନ୍ ସ୍ଥାନୀୟ ଲୋକଙ୍କୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ପରି ପଡୋଶୀ ରାଜ୍ୟ ସହ ଯୋଗାଯୋଗରେ ସାହାଯ୍ୟ କରିବ।

ରାଷ୍ଟ୍ରପତି କହିଛନ୍ତି ଯେ ମୋବାଇଲ୍ ଫୋନ୍ ଏବଂ କ୍ୟୁରିଅର୍ ସେବାଗୁଡିକର ବୃଦ୍ଧି ଧାରା ସତ୍ବେ ଇଣ୍ଡିଆ ପୋଷ୍ଟ ଏହାର ପ୍ରାସଙ୍ଗିକତା ହରାଇ ନାହିଁ। ରାଇରଙ୍ଗପୁରରେ ଏକ ନୂତନ ଡାକ ବିଭାଗର ଉଦଘାଟନ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା | ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ବର୍ତ୍ତମାନ ଡାକ ସେବା ସହଜରେ ପାଇପାରିବେ।

” କେନ୍ଦ୍ର ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୨୦୧୩-୧୪ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ବର୍ତ୍ତମାନର ବଜେଟରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଛି। ଆଦିବାସୀ ଲୋକଙ୍କ ବିକାଶ ବିନା ଦେଶର ବିକାଶ ଅସମ୍ପୂର୍ଣ୍ଣ। ସେଥିପାଇଁ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ସରକାରଙ୍କ ଯୋଜନାର ସୁଯୋଗ ନେବାକୁ ସେ ଆଦିବାସୀ ଯୁବକମାନଙ୍କୁ ଅନୁରୋଧ କରୁଛି,” ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ଆତ୍ମ ବିକାଶ ପାଇଁ ସମସ୍ତଙ୍କର ପ୍ରୟାସ ମଧ୍ୟ ଆବଶ୍ୟକ। ତେଣୁ, ଯୁବକମାନେ ନିଜ ଜୀବନରେ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବା ଉଚିତ୍ ।

ରାଷ୍ଟ୍ରପତି କହିଥିଲେ ଯେ ପିଭିଟିଜି ବା ଅତି ପଛୁଆ ଆଦିବାସୀ ସମାଜର ବିକାଶ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଜନଜାତୀୟ ଗୌରବ ଦିବସ ଅବସରରେ ପିଏମ୍ ଜନମନ (ପ୍ରଧାନମନ୍ତ୍ରୀ- ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ) ଆରମ୍ଭ କରିଛନ୍ତି। ଆଦିବାସୀ ଭାଇ ଭଉଣୀଙ୍କ ଉନ୍ନତି ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଏହି ପଦକ୍ଷେପ ଅମୃତ କାଳରେ ଲୋକଙ୍କୁ ବିକାଶ ସହିତ ଯୋଡ଼ିବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।