ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ପିତୃପକ୍ଷରେ ମର୍ତ୍ତ୍ୟଲୋକ ଆସିଥିବା ପିତୃପୁରୁଷଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେବାର ଦୀପଦାନ ବା ପୟାଶ୍ରାଦ୍ଧର ବିଧି ରହିଛି । ଅପରାହ୍ନ ପରେ ପୟାଶ୍ରାଦ୍ଧ ଏବଂ ଦୀପଦାନ ରହିଛି । ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ଦୀପାବଳି । କାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସାଗର ବିଜେ ନୀତି । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଅନ୍ୟପଟେ ଚଳିତବର୍ଷ ବାଣଫୁଟାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଯେପରିକି ଖୋଲାସ୍ଥାନରେ ଲୋକମାନେ ସବୁଜ ବାଣ ଫୁଟାଇବେ । ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ନ ଫୁଟାଇବାକୁ ପରାମର୍ଶ ରହିଛି । ରାତି ୧୦ଟା ପରେ କେହି ବାଣ ଫୁଟାଇପାରିବେ ନାହିଁ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକ୍ଷାନୁଷ୍ଠାନ, ସ୍ଵାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସରରେ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଅମାନିଆଙ୍କ ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନର ସ୍କ୍ୱାଡ୍ । କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବାଣଫୁଟା ନେଇ କଟକଣା ଜାରି କରାଯାଇଛି ।