Photo For The News Of School

ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା; ବିଇଓଙ୍କୁ ଜବାବ ତଲବ

State

ଆଗରପଡ଼ା : ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରତିଷ୍ଠାକୁ ଦୀର୍ଘ ୧୫ ବର୍ଷ ବିତିବା ପରେ ଗତ ବର୍ଷ ମାର୍ଚ୍ଚ ମାସ ୧୮ ତାରିଖ ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭର ସୁଯୋଗ ପାଇଥିବା ଛାତ୍ରଛାତ୍ରୀ ମାତ୍ର ୩ମାସ ପରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଓଡିଶାଙ୍କ ଗତ ଜୁନ ମାସ ୧୯ତାରିଖ ଆଦେଶ ଅନୁସାରେ ପୁଣି ଉକ୍ତ ସୁଯୋଗରୁ ବଂଚିତ ହେବାକୁ ଯାଉଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଉକ୍ତ ମାମଲାକୁ ବିଚାରକୁ ନେଇ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ପିଲାମାନେ ପୁର୍ବପରି ନିଜସ୍ୱ ବିଦ୍ୟାଳୟରେ ଶିକ୍ଷାଲାଭ କରିବେ ବୋଲି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସ୍ଥଳେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ କାହାରି ଅନୁମତି ନନେଇ ବିଦ୍ୟାଳୟ ପରିଚାଳନା କମିଟିକୁ କୌଣସି ସୂଚନା ନଦେଇ ବ୍ଲକ ଶିକ୍ଷାଧିକାରିଣୀ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତ ୨ଜଣ ଶିକ୍ଷକଙ୍କୁ କାଢି ନେଇଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବାପରେ ଗ୍ରାମବାସୀମାନେ ପୁନଶ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଆବେଦନକୁ ବିଚାରକୁ ନେଇ ହାଇକୋର୍ଟ ଗତ ବର୍ଷ ଜୁନ ମାସ ୨୭ ତାରିଖରେ ଦେଇଥିବା ଆଦେଶକୁ ବିଭାଗୀୟ ଅଧିକାରୀ କାହିଁକି ପାଳନ କଲେ ନାହିଁ । ଏବଂ ପ୍ରକୃତରେ ଉକ୍ତ ବିଦ୍ୟାଳୟରେ କେତେଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଆସନ୍ତା ମାର୍ଚ୍ଚ ମାସ ୪ ତାରିଖରେ ପ୍ରଦାନ କରିବା ପାଇଁ ଚଳିତ ମାସ ୨୬ ତାରିଖରେ ଦେଇଥିବା ନିର୍ଦ୍ଦେଶରୁ ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବିଟିପୁର ପଂଚାୟତ ଅନ୍ତର୍ଗତ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ । ୨୦୦୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଏଠାରେ ପ୍ରତିଷ୍ଠା ହୋଇଥିଲା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ପ୍ରତିଷ୍ଠାର ୧୨ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ଉକ୍ତ ବିଦ୍ୟାଳୟ ଏକ ସଂପୂର୍ଣ୍ଣ ବିଦ୍ୟାଳୟରେ ପରିଣତ ହୋଇଥିଲା ।

କିନ୍ତୁ ୨୦୨୦ ମାର୍ଚ୍ଚ ମାସରେ ସରକାର ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଧାନଘର ପ୍ରକଳ୍ପ ବିଦ୍ୟାଳୟର ପାରିପାଶ୍ୱିର୍କ ପରିସ୍ଥିତିକୁ ବିଚାରକୁ ନେଇ ସରକାର ଉକ୍ତ ବିଦ୍ୟାଳୟକୁ ନିକଟସ୍ଥ ନୁଆପୋଖରୀ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦେଇଥିଲେ । ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଦ୍ୟାଳୟ ନିର୍ମାଣ ସଂପୁର୍ଣ୍ଣ ହୋଇଥିବାରୁ ନିର୍ମାଣାଧିନ ସ୍ଥାନରେ ପିଲାମାନେ ପଢିବାପାଇଁ ସୁଯୋଗ ମିଳୁବୋଲି ଦାବି କରି ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ଗତ ୦୩.୦୧.୨୦୨୩ରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କୁ ଏହାର ତଦନ୍ତ କରି ୨ସପ୍ତାହ ମଧ୍ୟରେ ଅଭିଯୋଗକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଶେଷ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଧାନଘର ଠାରେ ସ୍ଥାପିତ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ବହୁ ବାଦବିବାଦ ପରେ ଶେଷରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଡିଏଲସିସି ଭଦ୍ରକଙ୍କ ଆଦେଶ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟ ଆଦେଶ ନଂ ୩୧୨୨/ ୧୩.୦୩.୨୦୨୩ରେ ଜିଲ୍ଳା ଶିକ୍ଷାଧିକାରୀ ଧାନଘର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଖୋଲି ସେଠାରେ ପିଲାଙ୍କୁ ଶିକ୍ଷାଦାନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଏହା ସହିତ ବ୍ଲକ ଶିକ୍ଷାଧିକାରୀଙ୍କୁ ଉକ୍ତ ବିଦ୍ୟାଳୟରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ଯୋଗାଇ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ପାଇବା ପରେ ବ୍ଲକ ଶିକ୍ଷାଧିକାରିଣୀ ୨ଜଣ ଶିକ୍ଷକ ନିଯୁକ୍ତି କରିଥିଲେ । କିନ୍ତୁ ଗତ ଜୁନ ୧୯ ତାରିଖରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଓସେପା,ଓଡିଶାଙ୍କ ଆଦେଶ ଅନୁସାରେ ବ୍ଲକ ଶିକ୍ଷାଧିକାରିଣୀ ଗତ ଜୁନ ୨୨ ତାରିଖରେ ଜିଲ୍ଲାପାଳ କିମ୍ବା ଜିଲ୍ଲା ଶିକ୍ଷାଧିକାରୀ କାହାରି ଅନୁମତି ନନେଇ ବିଦ୍ୟାଳୟ ପରିଚାଳନା କମିଟିକୁ କୌଣସି ସୂଚନା ନଦେଇ ପିଲାଙ୍କ ଶିକ୍ଷାଲାଭ ପାଇଁ କୌଣସି ବିହିତ ପଦକ୍ଷେପ ନନେଇ ନିଯୁକ୍ତି ଦେଇଥିବା ୨ଜଣ ଶିକ୍ଷକଙ୍କୁ କାଢି ନେଇଥିଲେ । ପରେ ଅଭିଭାବକ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟା ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।