Onn 3

କୁଆଖାଇ ନଦୀରେ ବୁଡ଼ି ୨ ସାଙ୍ଗ ମୃତ, ୨ ନିଖୋଜ

State

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଜାମସେଦ୍‌ପୁରର ଆର୍ଯ୍ୟନ୍, କଟକର ଅବିନାଶ। ନିଖୋଜ ହେଲେ ବାଲେଶ୍ୱରର ରୋହିତ ଓ କଟକର ପ୍ରତିକ। ଆଜି ଅପରାହ୍ନ ୩ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଠାରେ ଥିବା ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ପାଠପଢ଼ୁଥିବା ୮ ଜଣ ଛାତ୍ର ସାଙ୍ଗ ଏଠାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ନଦୀରେ ବର୍ଷା ପାଣି ପୂରିଥିବାରୁ ସାମାନ୍ୟ ସୁଅ ମଧ୍ୟ ଥିଲା। କୌଣସି କାରଣରୁ ୮ ଜଣ ଗାଧୋଉଥିବା ବେଳେ ସେଥିରୁ ୪ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଖୋଜାଖୋଜି କରିଥିଲେ। ହେଲେ ପାଣିରୁ କାହାରି ବି ପତ୍ତା ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିବା ପରେ ୨ ଜଣଙ୍କ ମୃତଦେହକୁ ପାଣିରୁ ବାହାର କରିଥିଲା। ନିଖୋଜ ୨ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଛି। ରାତି ହୋଇଯାଇଥିବାରୁ ନିଖୋଜଙ୍କ ପତ୍ତା ନେବାକୁ କଷ୍ଟ ହେଉଛି। ତେବେ ବି ଟର୍ଚ୍ଚ ପକାଇ ପାଣି ଭିତରୁ ନିଖୋଜଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରୁଛି ଅଗ୍ନଶମ ବାହିନୀ।