Onn 3

ମୟୂରଭଞ୍ଜରେ ୬ଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିକାଶଶୀଳ ଏବଂ ବିକାଶୋନ୍ମୁଖୀ ଯୋଜନା ମାନ କାର୍ଯ୍ୟକାରୀ ସମ୍ବନ୍ଧରେ ଆଜି ୬ଷ୍ଠ ଜିଲ୍ଲା ପରିଷଦ ବୈଠକ ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଙ୍କ ସଭାପତିତ୍ବ ଏବଂ ଅଧ୍ୟକ୍ଷତାରେ ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ୍ ଭରଦ୍ୱାଜ (ଭା.ପ୍ର.ସେ.) ଙ୍କ ଉପସ୍ଥିତି ରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ବିଧାୟକ, ବାରିପଦା ଶ୍ରୀଯୁକ୍ତ ପ୍ରକାଶ ସୋରେନ୍, ମାନ୍ୟବର ବିଧାୟକ, ମୋରଡ଼ା, ରାଜକିଶୋର ଦାସ, ବିଧାୟକ ସାରସକଣା, ଡଃ ବୁଧାନ ମୁର୍ମୁ, ବିଧାୟକ ରାଇରଙ୍ଗପୁର, ନବଚରଣ ମାଝୀ, ଅତିରିକ୍ତ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକର ଆରମ୍ଭ ପୂର୍ବରୁ ବିଧାନସଭା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଏହି ବୈଠକକୁ ସୁଚାରୁ ରୂପେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ସ୍ୱାଇଁ ପରିଚାଳନା କରିଥିଲେ ।ଇତ୍ୟବସରରେ, ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଜିଲ୍ଲାସ୍ତରୀୟ ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ନିଜ ଅଞ୍ଚଳର ବିଭିନ୍ନ ପ୍ରକାର ସରକାରୀ କାର୍ଯ୍ୟ ମାନଙ୍କର ବିବରଣୀ ପ୍ରଦାନ କରିଥିଲେ। ତତ୍ସହିତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମସ୍ତ ଲୋକପ୍ରତିନଧି ମାନଙ୍କ ସହିତ ଅଧିକାରୀ ମାନେ ସମସ୍ତ କାର୍ଯ୍ୟ ମାନଙ୍କର ପ୍ରଗତି ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ।

ଆଲୋଚ୍ୟ ବିଷୟ ମାନଙ୍କ ମଧ୍ୟରେ ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ବିଦ୍ୟୁତ୍ ଯୋଗାଣ, କୃଷି ଏବଂ ଉଦ୍ୟାନର ଉନ୍ନତିକରଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ନିର୍ମାଣ କାର୍ଯ୍ୟ ପ୍ରଣାଳୀ, ଆଦିବାସୀ କଲ୍ୟାଣ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଉଠାଜଳସେଚନ, ଜଳ ବିଭାଜିକା ଏବଂ ଜିଲ୍ଲା ଶିଳ୍ପକେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ମାନଙ୍କର ଉପାଦେୟତା ବିଷୟରେ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ସହିତ ଆଗକୁ ଅନ୍ୟ ପ୍ରକଳ୍ପ ମାନଙ୍କୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କରି ଜିଲ୍ଲାରେ ବାକିଥିବା ବିଭିନ୍ନ କାର୍ଯ୍ୟର ତଦାରଖ ତଥା ସେହି କାର୍ଯ୍ୟ ଗୁଡ଼ିକର ତୁରନ୍ତ ଅଗ୍ରଗତି ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକ ଅବସରରେ ବିଭିନ୍ନ କାର୍ଯ୍ୟକାରୀ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନେ, ଚାରୋଟି ଉପଖଣ୍ଡର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ, ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଗଣ, ବିଭିନ୍ନ ବ୍ଲକର ଲୋକ ପ୍ରତିନିଧି ଏବଂ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଏବଂ ସମସ୍ତ ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଉପଯୁକ୍ତ ମନ୍ତବ୍ୟ ଦେଇଥିବାର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ଠାରୁ ପ୍ରକାଶ।