Onn 3

ଖୁଚୁରା ବଜାରରେ ପିଆଜ ଦର ୮୦ ଟପିଲା

State

 

oni

ଭୁବନେଶ୍ଵର: କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ ଭାବେ ଖୋଲା ବଜାରରେ ପିଆଜ କିଲୋପ୍ରତି ମାତ୍ର ୨୦ ରୁ ୨୫ ଟଙ୍କା ରହିଥିଲା। ଏବେ ସହରାଞ୍ଚଳରେ ପିଆଜ କିଲୋପ୍ରତି ୬୦ ରୁ ୮୦ ଟଙ୍କାରେ ପହଁଚିଗଲାଣି। ସେହିଭଳି ଗ୍ରାମାଞ୍ଚଳରେ ପିଆଜ କିଲୋ ପ୍ରତି ୬୫ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଯାହାକୁ ନେଇ ଅତିଷ୍ଟ ହୋଇଛନ୍ତି ଖାଉଟି।

କେବଳ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ମୂଲ୍ୟରେ ବୃଦ୍ଧି ହୋଇଛି। ଦିଲ୍ଲୀରେ ପିଆଜ କିଲୋ ପ୍ରତି ୮୦ ଟଙ୍କା ହୋଇଥିବାବେଳେ ମୁମ୍ବାଇରେ ମଧ୍ୟ ୮୦ ଟଙ୍କାରେ ବିକ୍ରି ହେଉଛି। ଲକ୍ଷ୍ନୌରେ ୭୦ ଟଙ୍କା, ପାଟନାରେ ୭୦ ଟଙ୍କା, କୋଲକାତାରେ ୭୦ ଟଙ୍କା, କାନପୁରରେ ୬୦ ଟଙ୍କା ଏବଂ ଓଡ଼ିଶାରେ ୭୦ରୁ ୮୦ ଟଙ୍କାରେ କେଜିଏ ପିଆଜ ମିଳୁଛି। ନୂଆ ପିଆଜ ଅମଳ ହେବା ପରେ ମୂଲ୍ୟରେ ହ୍ରାସ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ଏଣେ ପିଆଜ ମୂଲ୍ୟ ଦିନକୁ ଦିନ ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସାଧରଣ ଲୋକ। ଘରକୁ ୩ କେଜି ପିଆଜ ନେଉଥିବା ଗ୍ରାହକ ଏବେ ଗୋଟିଏ କେଜି ନେବାକୁ ବାଧ୍ୟ ହେଉଛନ୍ତି।

ଏପଟେ ହୁ ହୁ ହୋଇ ପିଆଜ ଦର ବଢୁଥିବା ବେଳେ ସେପଟେ ଏନେଇ ଆରମ୍ଭ ହୋଇଛି ରାଜନୀତି ବୟାନବାଜି । ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିଛି ରାଜ୍ୟ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ପିଆଜର ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । ଆମେ କେବଳ ପିଆଜ କଳାବଜାରୀ ରୋକିବା ଦିଗରେ ପଦକ୍ଷେପ ନେଉଛୁ । କେନ୍ଦ୍ର ସରକାର ତୁରନ୍ତ ପିଆଜ ଦର ନିୟନ୍ତ୍ରଣ କରନ୍ତୁ ବୋଲି ସେ କହିଛନ୍ତି । ଏହାରି ମଧ୍ୟରେ ଗତକାଲି ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଘେରାଉ କରିବା ସହ ପିଆଜ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରିଛନ୍ତି ।