Waterlog 1727326451

ଜଳବନ୍ଦୀ ସୂର୍ଯ୍ୟ ମନ୍ଦିର; ଜମିଛି ଆଣ୍ଠୁଏ ଉଚ୍ଚର ପାଣି

State

କୋଣାର୍କ : ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ କଟକ, ଭୁବନେଶ୍ୱର, ପୁରୀରେ ବି ଲାଗି ରହିଛି ବର୍ଷା। ଫଳରେ ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ। ଜମି ରହିଛି ଫୁଟେ ଉଚ୍ଚର ପାଣି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ୱ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି। ଫଳରେ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି। ଫଳରେ ସେମାନେ ମନ୍ଦିର ପ୍ରଶାସନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।
ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏ ପରିସ୍ଥିତି କିଛି ନୂଆ ନୁହେଁ। ଅଳ୍ପ ସମୟ ବର୍ଷାରେ ବି ପାଣି ଏଠି ଲହରି ଭାଙ୍ଗେ।
ଏପରି ସମସ୍ୟା ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆନ୍ତରିକତା ପ୍ରକାଶ ପାଉନି। ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଖରାପ ଅନୁଭୂତି ନେଇ ଫେରୁଛନ୍ତି।