ଆଗରପଡ଼ା : ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କୁ ଫୁଲର ଆଭୂଷଣରେ ବିଭୂଷିତ କରୁôଥିଲା ମାଳି ସୁଦାମା କିନ୍ତୁ ଆଜି ଯୁଗରେ ପ୍ରଭୁଙ୍କୁ ବିଭୂଷିତ କରିବାକୁ ନା ଅଛି ମାଳି ନା ତା ବେଉସା ଦେଖିବାକୁ ମିଳୁଛି । ଆଧୁନିକ ଯୁଗରେ ନିଜର ଜୀବନ ଶୈଳିକୁ ପରିବର୍ତ୍ତନ କରିବା ଓ ନିଜର ଜୀବିକାକୁ ଉନ୍ନତମାନର କରିବା ଆଶାରେ ଏପରି ପରିସ୍ଥିତି ସୃଷ୍ଟି ହେଲାଣିଯେ ବହୁ ସଂପ୍ରଦାୟ ନିଜ କୂଳ ବେଉସାକୁ ଭୂଲିବାକୁ ବସିଲେଣି । ଯେତେ ନୂତନତ୍ୱକୁ ଆପଣେଇଲେ ମଧ୍ୟ ଏମିତି କିଛି ସାମଗ୍ରୀ ଅଛି ଯାହା ପ୍ରତ୍ୟେକ କାର୍ଯ୍ୟରେ ନିତ୍ୟାନ୍ତ ଆବଶ୍ୟକ । ଏହି ସାମଗ୍ରୀ ବିନା କାର୍ଯ୍ୟ ସମ୍ପାଦନ କରିବା ଅସମ୍ଭବ । ଯେପରିକି ପୂଜା,ବିଭାଘର,ବ୍ରତଘର ଆଦିରେ ସର୍ବ ପ୍ରଥମେ ଫୁଲ ଓ ସୋଲରେ ତିଆରି ସାମଗ୍ରୀ ଯଥା:-ମୁକୁଟ,ଡ଼ୋହୋଳ,ପଦୁକ,ନୁଳ,ଗଜରା.ହାତଫାସିଆ.ଟାହିଆ,ପାନିକି ଗଛ,ଝାଡ଼ ଇତ୍ୟାଦିର ନିତ୍ୟାନ୍ତ ଆବଶ୍ୟକତା ରହିଥାଏ । ଏହି ସବୁ ସାମଗ୍ରୀ ବିନା ଉପରୋକ୍ତ କାର୍ଯ୍ୟ ସମ୍ପାଦନ କରିବା ଅସମ୍ଭବ ହୋଇପଡ଼ିଥାଏ କିନ୍ତୁ ଏହି ପରି ସ୍ଥଳେ ଏହି ସବୁ ସାମଗ୍ରୀ ସମ୍ପାଦନ କରୁଥିବା ସଂପ୍ରଦାୟ ମାଳି ଆଜି ଅବହେଳିତ । ସେମାନଙ୍କୁ ସେମାନଙ୍କ କୌଳିକ ବୃତ୍ତିକୁ ପ୍ରୋସାହନ ଦେବାପାଇଁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆନଯାଉଥିବାରୁ ସେମାନେ ସେମାନଙ୍କ ବେଉସାକୁ ଭୂଲିବାକୁ ବସିଲେଣି । ଜନଶ୍ରୁତି କହେ ଯେ : ପାଳିତ ପ୍ରଥମାଷ୍ଟମୀରେ ପୁଅ ଓ ଝିଅ ପରୁହାଁ ହୋଇଥାନ୍ତି ମାଳି ଫୁଲରେ ।
ସେହିପରି ପ୍ରଭୁଙ୍କର ବଡ଼ ବେଶରେ ନିତ୍ୟ ମାଳି ଫୁଲର ଆବଶ୍ୟକତା ରହିଥାଏ । ଓଡ଼ିଆ ସଂସ୍କୃତିରେ ପାଳିତ ପ୍ରତ୍ୟେକ ପର୍ବପର୍ବାଣୀରେ ମାଳିର ସ୍ୱତନ୍ତ୍ର ଆବଶ୍ୟକତା ରହିଥାଏ । ଯେପରିକି ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବିଦେଶ ଯାଇଥାନ୍ତି ଓ ସେହି ବିଦେଶ ଯାତ୍ରାକୁ ଉଜ୍ଜିବିତ ରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଯାଇଥାଏ । ଯେଉଁ ଡ଼ଙ୍ଗା ମାଳି ଦ୍ୱାରା ନିର୍ମିତ । ଏହି ସବୁ ଓଡ଼ିଆ ସଂସ୍କୃତିରେ ମାଳିର ସ୍ୱତନ୍ତ୍ର ପରିଚୟ ସୂଚନା ଦେଇଥାଏ କିନ୍ତୁ ସେହି ସଂପ୍ରଦାୟ ଆଜି ଅବହେଳିତ । ବନ୍ତ ବ୍ଲକ ଅଧିନ ଆଗରପଡ଼ା ଓ ତା ଆଖପାଖ ଅଞ୍ଚଳ ଯଥା କାଉପୁର, ମଙ୍ଗଳପୁର,ଅଣିଜୋ,ପୁରୁଷଣ୍ଢ ଆଦି ଗ୍ରାମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ବହୁ ବର୍ଷରୁ ମାଳି ସମ୍ପ୍ରଦାୟ ବସବାସ କରନ୍ତି । ସେମାନେ ସେମାନଙ୍କ କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଅଣିଜୋ ଗ୍ରାମର ମିନହରି ରଣା, ଭରତ ରଣା, ଲକ୍ଷ୍ମୀଧର ରଣା, ବାବାଜୀ ରଣା, ମୁରଲୀ ରଣା,ପୂର୍ଣ୍ଣଚନ୍ଦ୍ର ରଣା,ଅଶୋକ ରଣା, ସାଗର ରଣା, କୌଶଲ୍ୟା ରଣା,ରଙ୍ଗଲତା ରଣା ଓ କନକ ରଣାଙ୍କ ସହ ଅବସ୍ଥାପିତ ଏହି ସମ୍ପ୍ରଦାୟର କିଛି ପରିବାରଙ୍କୁ ଯୋଗାଯୋଗ କରିବାରୁ ଜଣାଯାଏ ସେମାନେ ତାଙ୍କ ପୂର୍ବ ପୁରୁଷ କରି ଆସୁଥିବା ଏହି ବେଉସାକୁ ନିଜର ରୋଜଗାର ମାଧ୍ୟମ ରୂପେ ବାଛି ନେଇଛନ୍ତି ।
ସେମାନେ ମୁକୁଟ,ଡ଼ୋହଳ,ପଦୁକ,ନୁଳ,ଗଜରା, ହାତଫାସିଆ, ଟାହିଆ,ପାନିକି ଗଛ, ଝାଡ଼ ଇତ୍ୟାଦି ତିଆରି କରି ଏହି ସବୁ ସାମଗ୍ରୀକୁ ସହରର ବିଭିନ୍ନ ଦୋକାନରେ ବିକ୍ରି ପାଇଁ ଦେବା ସହ ପୂଜା ପର୍ବରେ ନିଜେ ତାକୁ ନେଇ ମନ୍ଦିରରେ ବିକ୍ରି କରିଥାନ୍ତି । ଯୁଗେ ଯୁଗେ ରାଜା ମହାରାଜା ଓ ଜମିଦାରମାନେ ମାଳି ମାନଙ୍କୁ ନିଷ୍କର ଜମି ବାଡ଼ି ଯୋଗାଇ ଦେଇଥାନ୍ତି । ଏହି ସବୁ ଜମିରେ ଫୁଲ ଚାଷ କରି ମାଳିମାନେ ଦେବତା ମନ୍ଦିରରେ ଫୁଲ ଦେବା ସହ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି କିନ୍ତୁ ଏହି ଅଞ୍ଚଳର ମାଳିମାନେ ଅଭିଯୋଗ କରିଥାନ୍ତି ଯେ ସେମାନଙ୍କ ପାଇଁ ସେ ସୁବିଧାର ପ୍ରଚଳନ ନାହିଁ ବୋଲି । “ଜମିତ ନାହିଁ ଫୁଲ ଚାଷ କରିବେ କେଉଁଠି”ା ରାଜ୍ୟ ବାହାରୁ ଫୁଲ ବେପାରୀମାନେ ଆସି ଫୁଲ ଆଣି ସହରରେ ଅଳ୍ପ ମୁଲ୍ୟରେ ବିକ୍ରି କରୁଥିବାରୁ ଲୋକମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ଉଚିତ ମୂଲ୍ୟ ଦେଉନଥିବା ହେତୁ ସେମାନେ ଏହି ବୃତ୍ତିକୁ ଭୂଲିବାକୁ ବାଧ୍ୟ ହେଉଛନ୍ତି । କିଛି ମାଳି ଅଭିଯୋଗ କରନ୍ତି ଯେ ସୋଲର ଅଭାବି ଯୋଗୁଁ ସେମାନେ ରାଜ୍ୟ ବାହାରୁ ଚଢା ଦରରେ ସୋଲ କିଣି ସେଥିରୁ ନିର୍ମାଣ କରୁଥିବା ସାମଗ୍ରୀ କୁ ବିକ୍ରି କରି ତାର ଉଚିତ ପାରିଶ୍ରମିକ ମୂଲ୍ୟ ପାଇପାରୁନାହାନ୍ତି । ତାଙ୍କ କୌଳିକ ବୃତ୍ତିର ଚାହିଦା ନଥିବା ସ୍ଥଳେ ସ୍ଥାନିୟ ବରଦା ଅଞ୍ଚଳରେ ପ୍ରତ୍ୟେକ ଗୁରୁବାର ଅବସ୍ଥାପିତ ମୁସଲିମ ସମ୍ପ୍ରଦାୟ ଠାକୁର ମନସୁର ବାବା(ପିର ବାବା)ଙ୍କ ମଝାରକୁ ଫୁଲରେ ଆଚ୍ଛାଦିତ କରାଯାଇଥାଏ । ସେଥିପାଇଁ ସେଠାରେ ଷ୍ଟଲମାନ କରି ଫୁଲ ବିକ୍ରି କରିଥାନ୍ତି । ପ୍ରତ୍ୟେକ ସପ୍ତାହର ବୁଧବାର ଦିନ ସେମାନେ ଚଳଚଞ୍ଚଳ ହୋଇଉଠିବା ସହ ୧୪ ରୁ ୧୫ ଘଣ୍ଟା କାଳ ଫୁଲର ହାର ତିଆରି କରିବାରେ ନିଜକୁ ନିୟୋଜିତ କରିଥାନ୍ତି । ଏହି ରୋଜଗାରରୁ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।
ଯେଉଁଥିରୁ ଆଧୁନିକ ଯୁଗରେ ପରିବାର ପ୍ରତିପୋଷଣ କରିବା ପାଇଁ ବହୁ କଷ୍ଟ ଅନୁଭବ କରନ୍ତି । ଅଣିଜୋ ଗ୍ରାମର ମିନହରି ରଣା(୭୪) ଏହି ସଂପ୍ରଦାୟର ହୋଇଥିଲେ ମଧ୍ୟ ଏହି ରୋଜଗାରରେ ପରିବାର ପ୍ରତିପୋଷଣ କରିବା ପାଇଁ କଷ୍ଟ ଅନୁଭବ କରୁଥିବାରୁ ସେ ନିଜକୁ ଗାହାଣ କାର୍ଯ୍ୟରେ ନିୟୋଜିତ କରିଆସୁଛନ୍ତି । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଥିବାରୁ ସରକାରଙ୍କ ପ୍ରଦତ୍ତ ଇନ୍ଦିରାଆବାସ, ମୋ କୁଡ଼ିଆ, ଭତ୍ତା ଓ ତତ୍ସହିତ ହସ୍ତଶିଲ୍ପ ପାଇଁ ପ୍ରଯୁଜ୍ୟ ସୁବିଧା ତାଙ୍କ ପାଖରେ ଆଜିବି ଅପହଂଚ । ଏହି କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଓ ତାଙ୍କ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଯଦି ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିବା ସହ ନିଷ୍କର ଜମିର ବ୍ୟବସ୍ଥା କରାଇପାରନ୍ତେ ତେବେ ସେମାନେ ସେଥିରେ ଫୁଲ ଚାଷ କରି ନିଜର ରୋଜଗାରକୁ ଉନ୍ନତ କରିବା ସହ କୌଳିକ ବୃତ୍ତିକୁ ଉଜ୍ଜିବିତ ରଖିପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି ।