Onn 3

ପଂଚାୟତ ଗଠନକୁ ୭ବର୍ଷ ପୁରିବ, କାମ ସରିବା ପରେବି କାର୍ଯ୍ୟକ୍ଷମ ହେଉନି ପଂଚାୟତ ଗୃହ

State

ମାର୍କେଟ୍ କମ୍ପେ୍ଲକ୍ସରେ ଚାଲିଛି କାର୍ଯ୍ୟାଳୟ

ଆଗରପଡ଼ା: ଗତ ୨୦୨୧ ମାର୍ଚ୍ଚ ମାସ ୧୦ ତାରିଖରେ ପଂଚାୟତ ନୂତନ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସକୁ ଇତି ମଧ୍ୟରେ ୨ବର୍ଷ ୭ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପଂଚାୟତ ଗୃହ କାର୍ଯ୍ୟକ୍ଷମ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ତଥା ପାରିବା ପଣିଆ ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚାରିଗାଁ(ଚକ୍ରାପାଢୀ)ପଂଚାୟତରେ । ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ପୁରୁଷଣ୍ଢ ପଂଚାୟତକୁ ଭାଗକରାଯାଇ ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ, କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ବଡ଼ବର୍ଚ୍ଚିକୟାଁ ପଂଚାୟତ ଓ ଅଣିଜୋ ପଂଚାୟତକୁ ଭାଗକରାଯାଇ ଚାରିଗାଁ(ଚକ୍ରାପାଢୀ)ପଂଚାୟତ । ନୂତନ ପଂଚାୟତ ଗଠନ ହେବାର ଇତି ମଧ୍ୟରେ ୭ବର୍ଷ ବିତିବାକୁ ବସିଥିବା ବେଳେ ସରପଂଚଙ୍କ ପ୍ରଥମ ପାଳି ସରି ଆଉ ଏକ ପଂଚାୟତ ନିର୍ବାଚନ ସରି ତାକୁ ମଧ୍ୟ ୨ବର୍ଷ ପୁରିସାରିଥିଲେ ସୁଦ୍ଧା ପଂଚାୟତର ନିଜସ୍ୱ କାର୍ଯ୍ୟାଳୟ ଗୃହ କାର୍ଯ୍ୟକ୍ଷମ ହୋଇନପାରିବା ବଡ଼ ଦୁଃଖ ଓ ପରିତାପର ବିଷୟ ପାଲଟିଛି । ବଡ଼ହାଟତ୍ରିଲୋଚନପୁର(ବି.ଟି.ପୁର)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୩୩ ଲକ୍ଷ ୭୦ ହଜାର ଟଙ୍କା ମଂଜୁର ହୋଇଥିଲା ।

୨୦୧୮ ମସିହା ଜାନୁୟାରୀ ୬ ତାରିଖରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ମିଳିବା ସହିତ ୯୦ ଦିନ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଉଲ୍ଲେଖ ରହିଥିଲା । ଅବଧି ସରିବା ପରେ ସୁଦ୍ଧା ରାଜନୈତିକ ଆକ୍ରୋଶ ଯୋଗୁଁ ୫ବର୍ଷ ପରେ ମଧ୍ୟ ଏକ ପୂର୍ଣ୍ଣାଙ୍ଗ ଗୃହ ନିର୍ମାଣ ହୋଇ ପାରିନଥିଲା । ସେହିପରି ବଡ଼ବର୍ଚ୍ଚିକୟାଁ ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣ କରାଯିବା ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏଥି ନିମନ୍ତେ ୩୩ଲକ୍ଷ ୭୦ହଜାର ଟଙ୍କା ମଂଜୁର ହୋଇଥିଲା । କିନ୍ତୁ ବିଦ୍ୟାଳୟ ନିମନ୍ତେ ସଂରକ୍ଷିତ ସ୍ଥାନରେ ପଂଚାୟତ ଗୃହ ନିର୍ମାଣ ହୋଇଥିବାରୁ ବହୁ ବାଦାନୁବାଦ ଭିତରେ ଉକ୍ତ ଗୃହ ନିର୍ମାଣ ହୋଇଥିଲା । ସେହିପରି ଚାରିଗାଁ (ଚକ୍ରାପାଢୀ)ପଂଚାୟତ କାର୍ଯ୍ୟାଳୟ ନୂତନ ଗୃହ ନିମନ୍ତେ ଜମି ଅଧିଗ୍ରହଣକୁ ନେଇ ସରକାର ଓ ଗ୍ରାମବାସୀଙ୍କ ମଧ୍ୟରେ ବାଦବିବାଦ ଲାଗିରହିଥିଲା । ପରେ ଏହାର ସ୍ଥାୟୀ ସମାଧାନ କରାଯାଇ ପଂଚାୟତ ଗଠନର ୫ବର୍ଷ ପରେ ଅର୍ଥାତ ଗତ ୨୦୨୧ ମାର୍ଚ୍ଚ ମାସ ୧୦ତାରିଖରେ ନୂତନ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିଲା । ଶିଳାନ୍ୟାସକୁ ଇତି ମଧ୍ୟରେ ୨ବର୍ଷ୭ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉକ୍ତ ପଂଚାୟତରେ ନିର୍ମିତ ମାର୍କେଟ୍ କମ୍ପେ୍ଲକ୍ସରେ ଅସ୍ଥାୟୀ ଭାବେ ପଂଚାୟତ କାର୍ଯ୍ୟାଳୟ ଚାଲୁରହିଛି । ଏହା ପୂର୍ବରୁ ଚକ୍ରାପାଢୀ ବିଦ୍ୟାଳୟର ଏକ ପ୍ରକୋଷ୍ଠରେ ଏହି କାର୍ଯ୍ୟାଳୟ ଚାଲୁଥିଲା । ଯାହାକି ସରକାରଙ୍କ ପଂଚାୟତ ଗଠନର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପୂର୍ବରୁ ନିର୍ବାଚିତ ସରପଂଚଙ୍କ କାର୍ଯ୍ୟକାଳ ସରିଗଲା କିନ୍ତୁ ସେମାନେ ନିଜସ୍ୱ ଗୃହରେ ବସି ପଂଚାୟତ କାର୍ଯ୍ୟ କରିନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ ହୋଇଥିବା ବେଳେ ଏବେ ସୁଦ୍ଧା ପଂଚାୟତ ଗୃହ କାର୍ଯ୍ୟକ୍ଷମ ହୋଇ ନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅସିମା ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଗୃହ ନିର୍ମାଣ ଦାଇତ୍ୱରେ ଥିବା ପୂର୍ବତନ କନିଷ୍ଠ ଯନ୍ତ୍ରୀ ଏହାର ସବିଶେଷ ବିବରଣୀ ପ୍ରଦାନ କରିପାରିବେ ବୋଲି ସୂଚନା ଦେଇଥିଲେ । ପୂର୍ବତନ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ପର ହୋଇପାରିନଥିଲା । ତେଣୁ ନିର୍ମାଣ କାର୍ଯ୍ୟ ସରିସାରିଥିବାରୁ ପଂଚାୟତର ସ୍ୱାର୍ଥକୁ ଆଖିଆଗରେ ରଖି ଏହାକୁ ଯଥାଶିଘ୍ର ପଂଚାୟତକୁ ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀଙ୍କ ସମେତ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି ।