Onn 3

ବାରିପଦା ଠାରେ ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ

State

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ଏମେର୍ଜେନ୍ସି ଅପେରସନ ସେଣ୍ଟର ଆନୁକୂଲ୍ୟରେ ଓଡିଶା ରାଜ୍ୟ ବିପର୍ଯୟ ପ୍ରସ୍ତୁତି ଦିବସ ପାଳିତ ହୋଇ ଯାଇଛି | ଏହି ଅବସରରେ ସକାଳ ୦୮:୦୦ ଘଟିକା ସମୟରେ ବିଭିନ୍ନ ଶିକ୍ଷlନୁଷ୍ଠାନ ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ସ୍ବେଛାସେବୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ଏକ ସଚେତନତା ରାଲି କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |ଉକ୍ତ ରାଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯୟ ସମୟ ରେ ନିଜେ କିମ୍ବା ନିଜ ଆଖପାଖ ରେ କେହି କୌଣସି ବିପଦ ର ସମ୍ମୁଖୀନ ହେଲେ ସେଥିରୁ କେମିତି ଆତ୍ମରକ୍ଷା କରିହେବ ବା ବିପଦ ରେ ପଡ଼ିଥିବା ଅନ୍ୟ ମାନଙ୍କୁ କିପରି ସାହାଯ୍ୟ କରି କୌଣସି ପ୍ରକାର ସେମାନଙ୍କ ଜୀବନ ରକ୍ଷା କରିହେବ ସେ ବିଷୟ ରେ ବାର୍ତ୍ତା ପହଞ୍ଚାଇବା ସହ ବିପର୍ଯୟ ସମୟରେ କୌଣସି ପ୍ରକାର ଭୟଭୀତ ନହୋଇ ନିଜ ଭିତରେ ସାହସ ସଂଚୟ କରି ଯଥା ସମ୍ଭବ ଏହାକୁ ସାମ୍ନା କରିବା ପାଇଁ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ |ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଏମର୍ଜେନ୍ସି ଟିମ, ବାରିପଦା ଏବଂ ଅଗ୍ନିଶମ ବିଭାଗ ତରଫରୁ ବିପର୍ଯୟ ସମୟରେ ବିଭିନ୍ନ ଉପାୟ ରେ କେମିତି ଲୋକଙ୍କ ଜୀବନ ରକ୍ଷା ତଥା ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିହେବ ସେ ସମ୍ବନ୍ଧରେ କଳା କୌଶଳ ପ୍ରଦର୍ଶନ କରିଥିଲେ | ହୃଦଘାତ, ସାପ କାମୁଡା, ବଜ୍ରାଘାତ,ଇଲେକ୍ଟ୍ରି ସକ ଇତ୍ୟାଦି ମାରାତ୍ମକ ଦୁର୍ଘଟଣା ରେ ଆକ୍ରାନ୍ତ ବ୍ୟକ୍ତି କୁ ଡାକ୍ତରି ଚିକିତ୍ସା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ସେଥି ରୁ ତୁରନ୍ତ ଉପଶମ ପାଇଁ ଯାହା ଯାହା ଉପଯୋଗୀ ଆପତଃ କାଳୀନ ଉପଚାର ଅଛି ସେ ସମ୍ପର୍କ ରେ ଅବଗତ କରିଥିଲେ |
ସେହିପରି ଆକସ୍ମିକ ଅଗ୍ନି କାଣ୍ଡ ଜନିତ ଦୁର୍ଘଟଣାରୁ ରକ୍ଷା କରିବା କିମ୍ବା ବନ୍ୟା ସମୟରେ ପାଣିରେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ଜରି ଡାକ୍ତରଖାନା ପହଞ୍ଚାଇବା ପୂର୍ବରୁ ପ୍ରାଥମିକ ଉପଚାର ଦ୍ୱାରା କିପରି ଲୋକଙ୍କ ଜୀବନ ରକ୍ଷା କରିହେବ ସେ ସମ୍ପର୍କ ରେ ବିଭିନ୍ନ ଉପାୟ ଉପସ୍ଥାପନ କରିଥିଲେ |

ଏହା ପରେ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଡେପୁଟି କଲେକଟର ଶ୍ରୀ ଦୁର୍ଗା ଚରଣ ମୁର୍ମୁ ଙ୍କ ଆବାହକତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ଓ ଜିଲ୍ଲା ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ର ଦେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏବର୍ଷ ଦିବସ ପାଳନ ର ବିଷୟବସ୍ତୁ “ସୁରକ୍ଷିତ ଓଡିଶା ପାଇଁ ଗୋଷ୍ଠୀ ସଶକ୍ତିକରଣ” ଉପରେ ନିଜନିଜର ସୁଚିନ୍ତିତ ମତ ଦେଇଥିଲେ ଏବଂ ବିପର୍ଯୟ ଜନିତ ବିପଦ କୁ ଡରି ନଯାଇ ସାମ୍ନା କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ | ଆମ ରାଜ୍ୟ ବିପର୍ଯୟ ପରିଚାଳନା କ୍ଷେତ୍ର ରେ ବିଶ୍ୱ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି | ତେଣୁ ଏହି ଧାରା କୁ ନିରନ୍ତର ବଜାୟ ରଖିବା ପାଇଁ ଆମର ପ୍ରସ୍ତୁତି ଏଭଳି ଭାବେ ଜାରି ରଖିବା ଦରକାର, ବିପର୍ଯୟ ଆସିଲେ ସୁଦ୍ଧା ଏହାର ପ୍ରଭାବରେ କେହି ଯେମିତି ମୃତ୍ୟୁ ମୁଖରେ ନପଡ଼ନ୍ତି |

ଏହି ଅବସରରେ ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶାସନ ତରଫରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା | ଶେଷରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ର ପରିଚାଳନା ରେ ଜରୁରୀ କାଳୀନ କାର୍ଯ୍ୟାଳୟ ର ମନୋଜ ମଙ୍ଗରାଜ, ରବୀନ୍ଦ୍ର କୁମାର ଦାଶ, ସ୍ବପନ କୁମାର ମହାନ୍ତ, ଅମ୍ରିତା ଶତପଥି, ପ୍ରଜ୍ଞା ପରିମିତା ମଲ୍ଲିକ ଏବଂ ଚିନ୍ମୟ ଶତପଥି ସହଯୋଗ କରିଥିଲେ |