Murder 1

ହତ୍ୟା ପରେ ଯୁବକଙ୍କୁ ରାସ୍ତାରେ ଫିଙ୍ଗି ଦେଇଗଲେ ଦୁର୍ବୃତ୍ତ

State

ମୋହନା : କୋହ ସମ୍ଭାଳି ହେଉନି କି ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଧର୍ଯ୍ୟହରା ପରିବାର ଲୋକେ । ତୁହାକୁ ତୁହା ଚେତାବୁଡି ଯାଉଛି ମହିଳାମାନଙ୍କର । ଏପଟେ ରାସ୍ତାଟା ସାରା ଜମିଛି ଭିଡ । ଏଡେ ବଡ ଭେଣ୍ଡିଆ ପୁଅକୁ କିଏ ଏମିତି ବିଭତ୍ସ ଭାବେ ମାରି ଶୁଆଇ ଦେଲା? ସମସ୍ତଙ୍କ ମନରେ ଏଇ ଗୋଟିଏ ପ୍ରଶ୍ନ । ଏତେ ବଡ ଦୁଃଖ ଦେଲା ଦଇବ ଯାହା ସହିବା ଅସମ୍ଭବ । ପରିବାର ପ୍ରତିପୋଷଣ କରୁଥିବା ଯୁବକ ଜଣକ ଘରୁ ବାହାରିକି କାମକୁ ଗଲେ, ହେଲେ ଆଉ ଘରକୁ ଫେରିଲେନି । ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ପରେ ସଭିଏଁ ଆତଙ୍କିତ ।

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତକ ହେଲେ ଗଜପତି ଜିଲ୍ଲା ଅଡବା ଥାନା ତୁଆବାଡ଼ି ଗାଁର ୪୫ ବିର୍ଷିୟ ତିରିସା ମୁଠାମାଝୀ । ମୃତଦେହଟି ଗାଁ ଠାରୁ ତିନି କିଲୋମିଟର ଦୂର କଟାମା ଗାଁ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି । ମୃତଦେହ ନିକଟରେ ତାଙ୍କ ବାଇକ ପଡିଥିବା ଜଣାପଡିଛି । ଖବର ପାଇ ଅଡବା ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି । ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି ।

ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ତିରିଶା ମୁଠାମାଝୀ କୌଣସି କାମରେ ନିଜ ବାଇକରେ ପାଣିଗଣ୍ଡା ଯାଇଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ । ହେଲେ ଆଜି ସକାଳେ କଟାମା ଗାଁ ନିକଟରେ ତାଙ୍କ ବାଇକ ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ । ତେବେ ମୃତ ତିରିସା ଗତ ଯୋଜନାରେ ୱାର୍ଡ ମେମ୍ବର ଥିଲେ । ଏଥିସହ ଗତ ବର୍ଷ ସିମନ ମାଝୀ ହତ୍ୟା ଘଟଣାରେ ସେ ସାକ୍ଷୀ ଥିଲେ । ତେଣୁ ପୂର୍ବ ଶତ୍ରୁତାରୁ ହିଁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ହତ୍ୟା ପରେ ତାଙ୍କ ନିଜ ବାଇକରେ ମୃତଦେହକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ଆଣି ଗାଁ ଠାରୁ ପ୍ରାୟ ୩ କିଲୋମିଟର କଟାମା ଗାଁ ନିକଟରେ ପିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସେପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ପାଣିଗଣ୍ଡାରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । ରାସ୍ତା ଅବରୋଧ ଯୋଗୁଁ ଅଡବା – ବ୍ରାହ୍ମଣି ଗାଁ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି । ଏପଟେ ପ୍ଳାକାର୍ଡରେ କେଉଁଠି ଲେଖା ଯାଇଛି ମୋ ଭାଇକୁ ନ୍ୟାୟ ଦରକାର ତ ଆଉ କେଉଁଠି ହତ୍ୟାକାରୀକୁ ଧରିବାକୁ ଦାବି ହୋଇଛି ।

ତେବେ ସୂଚନା ଥାଉକି, ଗତ ଏକ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ତିନିଟି ହତ୍ୟାକାଣ୍ଡ ଘଟିସାରିଲାଣି । ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଥିବା ଯୋଗୁଁ ଅଭିଯୁକ୍ତ ମାନେ ନିର୍ଭୟରେ ବୁଲି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଯଥାଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ କଠୋର କଠୋରୁ ଦଣ୍ଡ ବିଧାନ କରିବା ଦାବି ଯୋର ଧରିଛି ।