Ba2

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ  ଦୁଇଦିନିଆ ଜନଜାତୀୟ ଗୌରବ ଦିବସ ପାଳିତ

ରାଜ୍ୟ
ବାରିପଦା  : ଧରତି ଆବା ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ନଭେମ୍ବର ୧୪ ଓ ୧୫ ତାରିଖରେ ଦୁଇଦିନିଆ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଜନଜାତି ଅଧ୍ୟୟନ କେନ୍ଦ୍ର ପକ୍ଷରୁ ନୃତତ୍ତ୍ୱ ଓ ଜନଜାତି ଅଧ୍ୟୟନ, ସାନ୍ତାଳୀ, ରାଜନୀତି ବିଜ୍ଞାନ ଓ ଇତିହାସ ବିଭାଗ ଏବଂ ଛାତ୍ର ସଂସଦର ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ପ୍ରଥମ ଦିନରେ ବିଭିନ୍ନ ଶୈକ୍ଷିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରାୟ ୨୦୦ ଜଣ ଶିକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ଉଦ୍‌ଯାପନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ପାଇଁ ବଳିଦାନ ଦେଇଥିବା ଜନଜାତି ବୀରମାନଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେବାକୁ ଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ସ୍ୱାଗତ ଭାଷଣରେ ଜନଜାତି ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ତଥା ନୃତତ୍ତ୍ୱ ଓ ଜନଜାତି ଅଧ୍ୟୟନ ବିଭାଗର ମୁଖ୍ୟ ଡ. ବସନ୍ତ କୁମାର ମହାନ୍ତ ଜମିରୁ ବେଦଖଲ, ଜଙ୍ଗଲ ଅଧିକାରରୁ ବଞ୍ଚିତ ହେବା ଓ ଶୋଷଣ ଭଳି ଐତିହାସିକ ଅନ୍ୟାୟ ଜନଜାତି ସମାଜରେ ପ୍ରତିରୋଧ ଆନ୍ଦୋଳନର ସୃଷ୍ଟି କରିଥିବା ଉଲ୍ଲେଖ କରି ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନକୁ ଏହାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି କହିଥିଲେ।
ବିଶିଷ୍ଟ ଅତିଥି ଶ୍ରୀ ପ୍ରମୋଦ କୁମାର ରାଉତ ଜନଜାତି ସମାଜର ପ୍ରକୃତି ସହ ସହାବସ୍ଥାନ, ପାରମ୍ପରିକ ଜଳ ସଂରକ୍ଷଣ ପଦ୍ଧତି ଓ ଅତିଥି ସତ୍କାର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିବାବେଳେ ଶ୍ରୀ ସୁରେନ ଚାନ୍ଦ ଟୁଡୁ ଜାତୀୟ ସ୍ତରରେ ଜନଜାତୀୟ ଗୌରବ ଦିବସ ପାଳନର ଇତିହାସ ଓ ଉଦ୍ଦେଶ୍ୟ ବିଷୟରେ କହିଥିଲେ। ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ସ୍ମୃତିଲିପି ସାହୁ ଜନଜାତି ଯୁବପିଢ଼ିଙ୍କ ଦକ୍ଷତା ଓ ନେତୃତ୍ୱ ବିକାଶ ସହିତ ମାତୃସ୍ୱାସ୍ଥ୍ୟ ସେବା ଓ ନିରାପଦ ପ୍ରସବ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ସାନ୍ତାଳୀ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଯତୀନ୍ଦ୍ର ନାଥ ବେଶ୍ରା ଛୋଟନାଗପୁର ମାଳଭୂମିର ଜନଜାତି ଆନ୍ଦୋଳନ ଏବଂ ୧୯୦୮ ମସିହାର ଛୋଟନାଗପୁର ପ୍ରଜାସ୍ୱତ୍ୱ ଆଇନର ଐତିହାସିକ ଗୁରୁତ୍ୱ ବିଷୟରେ ମତ ରଖିଥିଲେ। ଡ. ଶୁଭେନ୍ଦୁ କୁମାର ଶତପଥୀ ଜନଜାତି ସଂସ୍କୃତିର ସମୃଦ୍ଧି, ନିଃସ୍ୱାର୍ଥ ସେବା ଓ ଦେଶପ୍ରେମର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଆଧାରିତ ପୋଷ୍ଟର ପ୍ରତିଯୋଗିତା, ଯାହାର ବିଚାରକ ଭାବେ ପ୍ରଖ୍ୟାତ ଆଞ୍ଚଳିକ ଇତିହାସ ଗବେଷକ ଡ. ଶ୍ୟାମସୁନ୍ଦର ଦାସ ଯୋଗଦେଇଥିଲେ। ସେ ମୟୂରଭଞ୍ଜର ୧୧୦ ଜଣ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଓ ଅବଦାନକୁ ନେଇ ରଚିତ ନିଜ ଗ୍ରନ୍ଥ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ମୀନାକ୍ଷୀ ନାୟକ, ବର୍ଷାରାଣୀ ବାରିକ ଓ ଚିନ୍ମୟୀ ରଣା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ପୋଷ୍ଟର ପ୍ରତିଯୋଗିତାରେ ସନ୍ଦୀପ୍ତା ଦାସ ଓ ସତ୍ୟଜିତ ମୁଦୁଲି ପ୍ରଥମ, ଶାଶ୍ୱତୀ ଦୀକ୍ଷିତ ଓ ସୁଜିତ ମୁଣ୍ଡା ଦ୍ୱିତୀୟ ଏବଂ ପ୍ରତ୍ୟୁଷ କୁମାର ଚାନ୍ଦ ଓ ଶରତ କୁମାର ଜେନା ତୃତୀୟ ପୁରସ୍କାର ଲାଭ କରିଥିଲେ। ଏକକ ନୃତ୍ୟର ପ୍ରଥମ ବର୍ଗରେ ସାମିଆ ହାଁସଦା ଓ ପଦ୍ମାବତୀ, ଦ୍ୱିତୀୟ ବର୍ଗରେ ସୁନୀତା ଓ ନାରାୟଣ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିବାବେଳେ ଯୁଗଳ ନୃତ୍ୟରେ ଜୟଶ୍ରୀ ନାଏକ ଓ ନୀଳିମା ବାଗ୍ରାଯୋଡ଼ି ପ୍ରଥମ ଏବଂ ସୀତାରାଣୀ ଟୁଡୁ ଓ ମିନି ହାଁସଦା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଦଳଗତ ନୃତ୍ୟରେ ଡୁମୁନି, ସାବିତ୍ରୀ ଓ ଶ୍ରାବଣୀଙ୍କ ଦଳ ପୁରସ୍କୃତ ହୋଇଥିଲା। ମଞ୍ଚ ସଞ୍ଚାଳନ ଶ୍ରୀ ସୁରେନ୍ଦ୍ର ମାଣ୍ଡି କରିଥିବାବେଳେ ଛାତ୍ର ସଂସଦର ସଭାପତି ସନ୍ଦୀପ୍ତା ଦାସ ଓ ସାଂସ୍କୃତିକ ସମ୍ପାଦିକା ଶିଖାରାଣୀ ସିଂହବାବୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗରେ ଏହି ଦୁଇଦିନିଆ ଉତ୍ସବ ସଫଳତାର ସହ ସମାପିତ ହୋଇଥିଲା।