Fshsfhfsfhsfh 750x430

ରାଜ୍ୟବାସୀଙ୍କୁ ୬୬୦ କୋଟି ଟଙ୍କାର ନୂଆ କ୍ରୀଡ଼ା ଭିତ୍ତିଭୂମି ଉପହାର

State

ଭୁବନେଶ୍ବର: କେବଳ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କି ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ନୁହେଁ ତୃଣମୂଳସ୍ତରରୁ ଖେଳର ଉଡ଼ାଣ ଆରମ୍ଭ କରିବାକୁ ଓଡ଼ିଶା ସରକାର ଲାଗିପଡ଼ିଛନ୍ତି। ଏହି ଦୂରଦୃଷ୍ଟି ସମ୍ପନ୍ନ ଅଭିଯାନକୁ ଶୁକ୍ରବାର ନୂଆ ଉତ୍ସାହ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ୬୬୦ କୋଟି ଟଙ୍କାର ନୂଆ କ୍ରୀଡ଼ା ଭିତ୍ତିଭୂମି ଉପହାର ଦେଇଛନ୍ତି। ଏହା ମଧ୍ୟରେ ୪୮ଟି ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ସାମିଲ ରହିଛି। କଟକରେ ଟେବୁଲ୍ ଟେନିସ୍ ଏକାଡେମି ଓ ରାଉରକେଲାରେ ଜିମ୍ନାଷ୍ଟିକ୍ସ ଏକାଡେମିକୁ ‌ଲୋକାର୍ପିତ ହୋଇଛି। ପୂର୍ବଭଳି ହକିକୁ ମଧ୍ୟ ହତାଦର କରାଯାଇନାହିଁ। ୧୨ଟି ନୂଆ ହକି ତାଲିମ କେନ୍ଦ୍ର (ଏଚ୍‌ଟିସି) ସହିତ ଏହି ସଂଖ୍ୟା ୨୩ରେ ପହଞ୍ଚିଥିବାରୁ ଦେଶରେ ସର୍ବାଧିକ ହକି କେନ୍ଦ୍ରର ଗୌରବ ମଧ୍ୟ ଆସିଛି। ଏଥି ସହିତ ୧୧ଟି ନୂଆ କ୍ରୀଡ଼ା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଓଡ଼ିଶାରେ ୪୮ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ବ୍ୟାଡ୍‌ମିଣ୍ଟନ୍‌, ଟେବୁଲ୍‌ ଟେନିସ, ଯୋଗ, ଚେସ୍, ଭାରୋତ୍ତୋଳନ, ଜିମ୍ ଆଦି କ୍ରୀଡ଼ା ପାଇଁ କୋର୍ଟ, ରୁମ୍ ସହ ବିଭିନ୍ନ ସୁବିଧା ସୁଯୋଗ ରହିବ। ଏହାବ୍ୟତୀତ ଭବାନୀପାଟଣାରେ ଏକ ଉନ୍ନତ ବହୁମୁଖୀ ଇନ୍‌ଡୋର ହଲ୍ ମଧ୍ୟ ଉଦ୍‌ଘାଟିତ
ହୋଇଛି। କଟକରେ ଟେବୁଲ୍‌ ଟେନିସ ଏକାଡେମିରେ ୧୬ଟି ପ୍ରିମିୟମ କ୍ୱାଲିଟି ଟିଟି ଟେବୁଲ୍‌ ସହିତ ଏକ ସମ୍ପୂର୍ଣ୍ଣ ସୁସଜ୍ଜିତ ଜିମ୍ନାସିୟମ୍ ଏବଂ ଏକ ଉତ୍ସର୍ଗୀକୃତ ଭାରୋତ୍ତୋଳନ କକ୍ଷ ରହିଛି। ଏହି କେନ୍ଦ୍ରରେ ଚେସ୍, ଯୋଗ ଏବଂ ଜୁମ୍ବା ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ସ୍ଥାନ ମଧ୍ୟ ରହିଛି। ରାଉରକେଲା ଜିମ୍ନାଷ୍ଟିକ୍ସ ଏକାଡେମି ଜିମ୍ନାଷ୍ଟିକ୍ସ ରାଜ୍ୟ ଇକୋସିଷ୍ଟମକୁ ଏକ ନୂଆ ଦିଶା ପ୍ରଦାନ କରିବ। ଏଠାରେ ଅନ୍ତର୍ଜାତୀୟ ମାନର ଉପକରଣ ସହିତ ଭାରୋତ୍ତୋଳନ, ଟେବୁଲ୍‌ ଟେନିସ୍‌, ଯୋଗ ଓ ଜିମ୍‌ର ସୁବିଧା ମଧ୍ୟ ରହିଛି। ହକି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଛୋଟ ପିଲାଙ୍କୁ ପ୍ରତିଦ୍ବନ୍ଦ୍ବିତାମୂଳକ ପରିବେଶର ଶୀଘ୍ର ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ଓ ଆଦିବାସୀ ଅଂଚଳରେ ସିନ୍ଥେଟିକ୍ ଟର୍ଫ ସହ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ର (ଏଚ୍‌ଟିସି )ରେ ବିଶେଷଜ୍ଞ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ପେସାଦାର ପ୍ରଶିକ୍ଷଣ ଦିଆଯିବ। ଏହାକୁ ମିଶାଇ ରାଜ୍ୟରେ ଏବେ ୨୩ଟି ଏଚ୍ ଟି ସି (ସୁନ୍ଦରଗଡ଼-୧୭, ସମ୍ବଲପୁର-୨, ଯାଜପୁର-୧, କଟକ-୧, ଗଞ୍ଜାମ-୧ ଓ ଭୁବନେଶ୍ୱର-୧) ରହିଛି।
ରେମୁଣା, ବାଲିଗୁଡ଼ା, ଟିଟିଲାଗଡ଼ ଓ କରଞ୍ଜିଆରେ ୪ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍‌ ସମେତ ୧୧ଟି କ୍ରୀଡ଼ା ଭିତ୍ତିଭୂମିର ଶିଳାନ୍ୟାସ ମଧ୍ୟ ଶୁକ୍ରବାର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଏଥି ସହିତ ଭଦ୍ରକରେ ଇନ୍‌ଡୋର ସୁଇମିଂ ପୁଲ୍, କଟକରେ ଫୁଟ୍‌ବଲ୍ ତ‌ାଲିମ କେନ୍ଦ୍ର, ଇନ୍‌ଡୋର ସୁଇମିଂପୁଲ୍ ଓ ବାସ୍କେଟବଲ୍ କୋର୍ଟ, କେନ୍ଦ୍ରାପଡ଼ାର ଆଳିରେ ଥିବା ମହିଳା ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର ଓ ଦେବଗଡ଼ର ହକି ପ୍ରଶିକ୍ଷଣ କେନ୍ଦ୍ର, ବାରିପଦା ଷ୍ଟାଡିୟମ୍‌ର ଉନ୍ନତୀକରଣ, ଭଦ୍ରକର ନେହରୁ ଷ୍ଟାଡିୟମର ଉନ୍ନତୀକରଣ ଇତ୍ୟାଦି ପାଇଁ ଶିଳାନ୍ୟାସ କରିଛନ୍ତି I ‘‘ଆମେ ଯୁବ କ୍ରୀଡ଼ାବିତଙ୍କୁ ସର୍ବୋତ୍ତମ କ୍ରୀଡ଼ା ସୁବିଧା ଯୋଗାଇ ଦେବାକୁ ଚାହୁଁଛୁ, ଯଦ୍ଦ୍ବାରା ସେମାନେ ସାମର୍ଥ୍ୟକୁ ଉପଯୋଗ କରି ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିପାରିବେ। ମୁଁ ଆଶା କରୁଛି ଯେ ଆଜି ଶୁଭାରମ୍ଭ ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ରାଜ୍ୟର କ୍ରୀଡ଼ା ବିକାଶକୁ ଏକ ବଡ଼ ଗତି ପ୍ରଦାନ କରିବ’’ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଫାଇଭ୍‌-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଉପସ୍ଥିତ କିଛି କ୍ରୀଡ଼ାବିତ୍‌ଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ କ୍ରୀଡ଼ା ଉଦ୍ୟମକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଭୁବନେଶ୍ବର ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଏମ୍‌ସି ମେୟର ସୁଲୋଚନା ଦାସ, ଉନ୍ନୟନ କମିସନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ସଚିବ ଭିନୀଲ କ୍ରିଷ୍ଣାଙ୍କ ସମେତ ଅନ୍ୟ ଅଧିକାରୀ ଓ କ୍ରୀଡ଼ାବିତ୍ ମାନେ ଉପସ୍ଥିତ ଥିଲେ। ପ୍ରାୟ ୬୦ଟି ସ୍ଥାନରେ ଭିଡିଓ କନଫରେନ୍ସିଂ ଜରିଆରେ ଜନପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟକ ପ୍ରଶିକ୍ଷକ, ଖେଳାଳି ଓ ସାଧାରଣ ଜନତା ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।