Onn 3

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପାଇଁ ପ୍ରସ୍ତୁତି

State

ବାରିପଦା : ଆସନ୍ତା ନଭେମ୍ବର ମାସ 13 ଏବଂ 14 ତାରିଖରେ ହେବାକୁ ଥିବା ଦୁଇ ଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l ଗତ 19 ତାରିଖରେ ବାରିପଦାର ବଡ଼ ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା ପରେ ଏହାର ରୂପରେଖ ସ୍ଥିର କରା ଯାଇଥିବା ବେଳେ ସ୍ଥାନୀୟ ଶିଶୁ ଉଦ୍ୟାନ ରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ଫଟୋସୁଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଗତ ଦିନର ଶିଶୁ ମହୋତ୍ସବର ଚାମ୍ପିଅନ ତଥା ବର୍ତ୍ତମାନ ଓଲିଉଡ଼ର ଆଗ ଧାଡ଼ିର ନାୟକ ସ୍ବରାଜ ବାରିକ୍ ଯୋଗ ଦେଇ ପିଲାଙ୍କ ସହ ଫଟୋ ସୁଟ୍ କରି ଉତ୍ସବର ସଫଳତା କାମନା କରିଥିଲେ l କାର୍ଯ୍ୟକ୍ରମ ରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ର ଆୟୋଜକଙ୍କ ମଧ୍ୟରେ ସଞ୍ଜୟ କୁମାର ଚୌଧୁରୀ, ମନୋଜ କୁଅଁର, ବିବେକାନନ୍ଦ ପଟ୍ଟନାୟକ, ତାପସ ପାଢ଼ୀ, ଶୁଭେନ୍ଦୁ ସାହୁ ନିବେଦିତା ମହାନ୍ତ, ସ୍ମୃତିସୌମ୍ୟା ମହାନ୍ତି, ଅଜିତ୍ ପାତ୍ର, ପ୍ରଦୀପ କର, ପ୍ରଭାସ ମହାନ୍ତ, ଅଭିଷେକ ୟାଦଭ ଙ୍କ ସମେତ ଶିଶୁ ମହୋତ୍ସବ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ l

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶିଶୁ ଉଦ୍ୟାନ ପରିସର ରେ ୨୦୦୦ରୁ ୨୦୦୮ ଯାଏଁ ସଂସ୍କାର ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରବର୍ତ୍ତୀ ସମୟରେ ଅନିର୍ବାର୍ଯ୍ୟ କାରଣ ବଶତଃ ବନ୍ଦ ହୋଇ ଯାଇଥିଲା l ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏହି ମହୋତ୍ସବ ଆୟୋଜିତ ହେବାକୁ ଯାଉଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଥିବା ବେଳେ ଅଭିଭାବକ ମାନେ ଉତ୍କଣ୍ଠା ର ସହ ଅପେକ୍ଷା କରିଛନ୍ତି l ଚଳିତ ବର୍ଷ ଠାରୁ ଏହି ଶିଶୁ ମହୋତ୍ସବ ମୟୂରୀ ନାମରେ କରିବାକୁ ମହୋତ୍ସବ କମିଟି ପକ୍ଷରୁ ସ୍ଥିର ହୋଇଛି l ଏହାର ଲୋଗୋ ଆସନ୍ତା ରବିବାର ଉନ୍ମୋଚନ ହେବାକୁ ଯାଉଥିବା ନେଇ ସୂଚନା ଦିଆ ଯାଇଛି l ଆସନ୍ତା ନଭେମ୍ବର ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ନର୍ସରୀ ଠୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଭାଗ ନେଇ ପାରିବେ l