Onn 3

ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭୁଲିପାରିବେନି ଓଡ଼ିଶାବାସୀ

State

ganeshilal-750x430

ଭୁବନେଶ୍ବର: ୨୦୧୮ ମେ’ ୨୫ରେ ଓଡ଼ିଶାର ୨୫ତମ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ହୋଇଥିଲେ। ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ପାଇବାର ୪ ଦିନ ପରେ ଅର୍ଥାତ୍‌ ମେ’ ୨୯ରେ ତତ୍‌କାଳୀନ ଓଡ଼ିଶାର ଭାରପ୍ରାପ୍ତ ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଶା ହାଇକୋର୍ଟର ତତ୍‌କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିଥ୍‌ ସରଣ ତାଙ୍କୁ ଶପଥ ପାଠ କରାଇଥିଲେ।
ସାଧାରଣ ଜୀବନ ଅତିବାହିତ କରୁଥିବା ପ୍ରଫେସର ଲାଲ୍‌ ସବୁବେଳେ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁଥିଲେ। ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନିର୍ବାହ କରୁଥିବା ସମୟରେ ୨୦୨୦ ନଭେମ୍ବର ୨୩ରେ ତାଙ୍କ ପତ୍ନୀ ସୁଶିଳା ଦେବୀଙ୍କ ପରଲୋକ ହୋଇଥିଲା। ତା’ସତ୍ତ୍ବେ ସେ କର୍ମକ୍ଷେତ୍ରରେ ପଛଘୁଞ୍ଚା ଦେଇ ନ ଥିଲେ। ପତ୍ନୀଙ୍କ ପ‌ରଲୋକ ଦିନ ରାଜ୍ୟର ୬ଟି ବିଶ୍ବବିଦ୍ୟାଳୟର କୁଳପତି ଚୟନ ପାଇଁ ରାଜଭବନରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆଶାୟୀମା‌ନେ ଆସିସାରିଥିଲେ। ପ୍ରଫେସର ଲାଲ୍‌ କିନ୍ତୁ କୁଳପତି ଚୟନ କରିବା ସହ ନାମ ଘୋଷଣା କରିଥିଲେ। ସଙ୍ଗୀତରେ ରୁଚି ରଖୁଥିବା ପ୍ରଫେସର ଲାଲ୍‌ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଓ ଦେଶାତ୍ମକବୋଧକ ସଙ୍ଗୀତ ‘ଏ ମାଟି ଓଡ଼ିଶା ଓ ଏ ଜାତି ଓଡ଼ିଆ…’ ଗାନ କରି ସମସ୍ତଙ୍କ ନଜରକୁ ଆସିଥିଲେ। ପ୍ରଫେସର ଲାଲ୍‌ଙ୍କ ୫ ବର୍ଷର କାର୍ଯ୍ୟକାଳ ଚଳିତବର୍ଷ ମେ’ ୨୯ ତାରିଖରେ ଶେଷ ହୋଇଥିଲା। ତା’ସତ୍ତ୍ବେ ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ବରଂ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା।
୧୯୪୨ରେ ହରିୟାଣାର ସିରସାଠାରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ଲାଲ୍‌ ଇଂରାଜୀ ଅନର୍ସରେ ସ୍ନାତକ ହାସଲ କରିବା ପରେ ଗଣିତରେ ସ୍ନାତକତ୍ତୋର କରିଥିଲେ। ଏଫ୍‌ଏ, ବିଏ, ଏମ୍‌ଏରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଶିକ୍ଷା ଲାଭ କରିବା ପରେ ଜଣେ ଶିକ୍ଷାବିତ୍ ଭାବେ ୧୯୬୪ରୁ ୧୯୯୧ ପର୍ଯ୍ୟନ୍ତ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ଶିକ୍ଷାଦାନ କରିଥିଲେ। ୧୯୬୨ରୁ ସେ ଆର୍‌ଏସ୍‌ଏସ୍‌ର ଜଣେ ସକ୍ରିୟ ସଦସ୍ୟ ରହିବା ସହ ବିଭିନ୍ନ ପଦବିରେ ରହିଥିଲେ। ତୃଣମୂଳସ୍ତରରୁ ତାଙ୍କ ରାଜନୈତିକ ଜୀବନ ବିଜେପି ସହ ଜଡ଼ିତ ହୋଇ ରହିଥିଲା। ହରିୟାଣା ବିଜେପି ସଭାପତି ସହ ହରିୟାଣା ଏବିଭିପିର ଅଧ୍ୟକ୍ଷ, ବିଜେପି ଜାତୀୟ ଶୃଙ୍ଖଳା କମିଟିର ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ୧୯୭୬ ମସିହା ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ଜେଲ୍‌ ଯାଇଥିଲେ। ରାମ ଜନ୍ମଭୂମି ଅଭିଯାନରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ୧୯୯୬ରେ ସିରସା ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭା ଯାଇଥିଲେ। ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ ହରିୟାଣା ବିକାଶ ପାର୍ଟି ଓ ବିଜେପି ମିଳିତ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ରାଜ୍ୟପାଳ ହେଲେ ବି ସେ ଲୋକଙ୍କ ସହ ହୃଦୟରୁ ମିଶୁଥିଲେ, ଭଲମନ୍ଦ ବୁଝୁଥିଲେ। ରାଜଭବନ ଭିତରେ ନିଜକୁ ସୀମିତ ନ ରଖି ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ବୁଲୁଥିଲେ। ବାଟରେ ଯାଉ ଯାଉ ସାଲେପୁର ରସଗୋଲା ଖାଇବାକୁ କେତେବେଳେ ଓହ୍ଲାଇ ପଡ଼ୁଥିଲେ ତ କେନ୍ଦ୍ରାପଡ଼ା ରସାବଳୀ ମୋହରେ ପଡ଼ି ଯାଉଥିଲେ। ନୟାଗଡ଼ ଛେନାପୋଡ଼କୁ ପ୍ରଶଂସା କରିବାକୁ ମଧ୍ୟ ଭୁଲି ଯାଉ ନ ଥିଲେ। ଗଣେଶ ପୂଜା ହେଉ ଅଥବା ଦଶହରା।
ଭୁବନେଶ୍ବରରେ ବୁଲିବା ତାଙ୍କ ପାଇଁ ଥିଲା ସାଧାରଣ। ସନ୍ଧ୍ୟାରେ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ। ଏମିତି ଜଣେ ରାଜ୍ୟପାଳ ହେଉଛନ୍ତି ପ୍ରଫେସର ଗଣେଶୀ ଲାଲ୍‌। କୁନି କୁନି ପିଲାଙ୍କୁ ଦେଖିଲେ ନିଜକୁ ଅଟକାଇ ପାରନ୍ତି ନାହିଁ ରାଜ୍ୟପାଳ। ରାଜଭବନ ଉଦ୍ୟାନରେ ପିଲାମାନଙ୍କୁ ଚକୋଲେଟ୍‌ ବାଣ୍ଟିଥାନ୍ତି। ।
ସରକାରୀ ଦଳ ହେଉ ଅଥବା ବିରୋଧୀ ଦଳ ହୁଅନ୍ତୁ, ସମସ୍ତଙ୍କ ସହ ଉତ୍ତମ ସମନ୍ବୟ ରକ୍ଷା କରୁଥିଲେ। ନିଜ କାର୍ଯ୍ୟକାଳକୁ ସେ ବେଶ ସୁଚାରୁରୂପେ ଓ ର୍ନିବିବାଦୀୟ ଭାବେ ତୁଲାଇଛନ୍ତି। ଯେତେବେଳେ ଦେଶର ଅନ୍ୟ ରାଜ୍ୟରେ ଶାସକ ଦଳ ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା, ସେତେବେଳେ ଗଣେଶୀ ଲାଲ୍‌ଙ୍କ ବ୍ୟକ୍ତିତ୍ବ ରାଜ୍ୟକୁ ଭିନ୍ନ ବାର୍ତ୍ତା ଦେଉଥିଲା। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ସେ ପାଲଟିଯାଇଥିଲେ ଲୋକପ୍ରିୟ।