ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଜମିବାଡ଼ି ମାମଲା ନେଇ ଖଣ୍ଡାରେ ଖୁଡିକୁ ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ପୁତୁରାକୁ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ୧୬/୩/୨୦୧୯ତାରିଖଦିନ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଅପରାହ୍ନରେ ପୁତୁରା ଧ୍ରୁବ କାଳନ୍ଦୀ (୪୫) ଖୁଡିଙ୍କ ସହ ଯୁକ୍ତିତର୍କ ଓ ଗଣ୍ଡଗୋଳ କରିଥିଲା ।ଧ୍ରୁବ କାଳନ୍ଦୀ ରାଗ ଓ କ୍ରୋଧ ସମ୍ଭାଳି ନପାରି ଘରୁ ଏକ ଧାରୁଆ ଖଣ୍ଡା ଆଣି ଖୁଡି ରାଇମଣି କାଳନ୍ଦୀ (୬୫)ଙ୍କ ମଥାରେ ଛୋଟ ମାରିଥିଲା ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇମଣି ଟଳି ପଡ଼ିଥିଲା । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।
ଏହାକୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।ପୋଲିସ କେଶ ମାମଲା ୧୬/୨୩ ରୁଜୁ କରି ତଦନ୍ତ କରିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସର ତଦନ୍ତ ରିପୋର୍ଟ ପାରିପାର୍ଶ୍ବିକ ଘଟଣା ଏବଂ ୧୮ ଜଣ ସାକ୍ଷୀଙ୍କ ବୟାନ ଭିତ୍ତିକରି ଧ୍ରୁବ କାଳନ୍ଦୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ଏପିପି ପଙ୍କଜ ଦାସ ମାମଲା ଲଢ଼ୁଥିଲେ ।