Onn 3

ତୃତୀୟ ମୟୂରଭଞ୍ଜ ଶିଶୁ କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

State

ବାରିପଦା: ପ୍ରତିଥ ଯଶା ଚିତ୍ରଶିଳ୍ପୀ ପଦ୍ମ ଭୂଷଣ ଯତୀନ ଦାସଙ୍କ ପ୍ରତିଷ୍ଠିତ ମୟୂରଭଞ୍ଜ ସାଂସ୍କୃତିକ ଉନ୍ନୟନ ପରିଷଦ (ଏମସି ଡି ଏଫ୍) ଆନୁକୂଲ୍ୟରେ ତୃତୀୟ ମୟୂରଭଞ୍ଜ ଶିଶୁ କଳା ମହୋତ୍ସବ -୨୦୨୩ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶହୀଦ ଭବନ ପରିସରରେ ଏମ୍ ସି ଡ଼ି ଏଫ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟ ରଂଜନ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏଇ ପ୍ରସ୍ତୁତି ବୈଠକରେ ଜିଲ୍ଲାର କଳା-ମନସ୍କ ବିଶିଷ୍ଟ ବ୍ୟକ୍ତି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଚିତ୍ର ଶିଳ୍ପୀ ନିବେଦିତା ମହାନ୍ତ ଦ୍ଵିତୀୟ କଳା ମହୋତ୍ସବର ଆଧାରରେ ଚଳିତ ବର୍ଷ ଚିତ୍ରାଙ୍କନ, ମୃଣ୍ମୟ କଳା,କାଗଜ କଳା, ସଂଗୀତ,ଏକକ ଅଭିନୟ ଆଦି ବିଷୟ ସହ ଅନ୍ୟ ବିଷୟ ସଂଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ଶିଳ୍ପୀ ତଥା ଗୁରୁ ଚାରୁଚନ୍ଦ୍ର ଦାସ ଓ ଅମରେଶ ବାସୁରି ଏ ଉତ୍ସବରେ ମୟୂରଭଞ୍ଜର ଗ୍ରାମାଞ୍ଚଳର ପ୍ରତିଭାବାନ ଶିଶୁ ମାନଙ୍କୁ ସାମିଲ୍ କରିବା ଓ ଏହାର ଆଭିମୁଖ୍ୟକୁ ଜିଲ୍ଲାରେ ଚାରୁ ଓ କାରୁକଳାର ବିକାଶ ପାଇଁ ପ୍ରସ୍ତୁତ କରିବାକୁ ମତାମତ ଦେଇଥିଲେ।

ଏ ଜିଲ୍ଲାରେ ଦୀର୍ଘ ୮ ବର୍ଷ ଧରି ସଂସ୍କାର ଶିଶୁ ମହୋତ୍ସବ ଆୟୋଜନ କରିଥିବା ସଂଜୟ କୁମାର ଚୌଧୁରୀ ନୂତନ ବିଭାଗ ସଂଯୁକ୍ତ ତଥା ଦୁଇ ଦିବସୀୟ ମହୋତ୍ସବ ପାଇଁ କାର୍ଯ୍ୟସୂଚୀ ର ରୂପରେଖ ଉପରେ ଆଲୋକପାତ କରିଥିଲେ । ବୈଠକରେ ଶିଳ୍ପୀ ପ୍ରଣତୀ ପଟ୍ଟନାୟକ, ସ୍ଵରୂପ ନାୟକ ଏ ତୃତୀୟ ମହୋତ୍ସବକୁ ସଫଳ କରିବା ପାଇଁ ଜନ ସହଯୋଗ ଆବଶ୍ୟକ ଓ ଏଥିପାଇଁ ସମଭାବାପନ୍ନ ବ୍ୟକ୍ତି ମାନଙ୍କୁ ସାମିଲ୍ କରିବାକୁ ଆହ୍ୱାନ ଦେଇଥିଲେ। ଶିକ୍ଷୟିତ୍ରୀ ଶୁଭସ୍ମିତା ହୋତା ମହୋତ୍ସବରେ ବିଭିନ୍ନ ବିଭାଗର ସୁପରିଚାଳନା ପାଇଁଁ ଦାୟିତ୍ଵ ବଣ୍ଟନ କରି ସେମାନଙ୍କୁ ପରିଚାଳନା ସ୍ଵାଧୀନତା ଓ ସ୍ଵୀକୃତି ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ପ୍ରଭାସ ମହାନ୍ତ,ଆଦର୍ଶ ରାଉତ୍ ପ୍ରମୁଖ ଯୋଗ ଦେଇଥିବାବେଳେ ଆଭାଷୀ ମାଧ୍ୟମରେ ମନାକୋ ରୁ ଆଶିଷ ଚୌଧୁରୀ ପ୍ରସ୍ତାବିତ ଦୁଇ ଦିବସୀୟ ମହୋତ୍ସବର ରୂପରେଖ ଆଲୋଚନାକରି ଏଥିରେ ଅଭିଭାବକ ମାନଙ୍କ ପାଇଁ କଳା-କୁଇଜ୍ ଓ ଚିତ୍ରକଳା ସଂପର୍କିତ ବୃତ୍ତି ବିଷୟ ରେ କର୍ମଶାଳା ଆୟୋଜନର ପ୍ରସ୍ତାବ ରଖିଥିଲେ। ପରିଶେଷରେ ତରୁଣ କୁମାର ଓଝା ସମସ୍ତଙ୍କୁ ସେମାନଙ୍କର ଉପସ୍ଥିତି ଓ ସକ୍ରୀୟ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଅର୍ପଣ କରି ଏହାକୁ ସଫଳ କରିବାକୁ ନିବେଦନ କରିଥିଲେ ।