ଆଗରପଡ଼ା:ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ୧୦ନଂ ୱାର୍ଡ଼ର ଗାଁ ତୁଳିପଦା ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲୋଟିଛି ସାତ ସପନ । କିନ୍ତୁ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଗାଁର ଅଧିବାସୀ ମାନେ ଲୁହଭିଜା ନୟନରେ ଓ ଆବେଗଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏକ ଛୋଟିଆ ଗାଁ ତୁଳିପଦା ଯାହାର ଲୋକସଂଖ୍ୟା ପାଖାପାଖି ୫୦୦ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ପାଖାପାଖି ୨୦୦ । ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ମୁଖ୍ୟ କେନାଲ ରାସ୍ତା ଠାରୁ ଲମ୍ବିଥିବା ମାଟି ରାସ୍ତାରେ ପ୍ରାୟ ୨କି.ମି ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ନୁହେଁ ।
ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ଏହି ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ ତଥା କଲେଜକୁ ଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଗାଁ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥାଏ । ରାସ୍ତା ଅବସ୍ଥା ଯୋଗୁଁ ଏଠାରେ ପ୍ରତିଷ୍ଠିତ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଠିକ୍ ଭାବେ ଶିକ୍ଷାଦାନ କରାଯାଇପାରିନଥାଏ । ଏହି ଗାଁର ରୋଗୀମାନଙ୍କୁ ଖଟିଆରେ ବୁହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ଗମନାଗମନ ସମସ୍ୟା ଯୋଗୁଁ ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୨କି.ମି. ଦୂରରେ ରହିଥାନ୍ତି ତେଣୁ ଗର୍ଭବତୀ ମହିଳା ଚାଲି ଚାଲି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବାର ନଜିର ମଧ୍ୟ ରହିଛି । ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମରେ ସମସ୍ୟାକୁ ନେଇ ବାରମ୍ବାର ଖବର ପ୍ରକାଶିତ ହେବାପରେ କେନାଲ ବନ୍ଧଠାରୁ ମାତ୍ର ୨୦୦ମିଟର ରାସ୍ତାକୁ କଂକ୍ରିଟ କରାଯାଇଛି । ତେଣୁ ଉକ୍ତ ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।