Onn 3

ଜବରଦଖଲକାରୀଙ୍କ କବ୍‌ଜା, ଟ୍ରାଫିକ ସମସ୍ୟାରେ ବିକେବିଏମ୍ ରାସ୍ତା

State

ଆଗରପଡ଼ା: ଗମନାଗମନର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଦବକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ ହେଉଥିବା ରାସ୍ତା ତିଆରି ହେବାର କିଛି ମାସ ପରେ ଖାଲଖମାରେ ପରିଣତ ହୋଇଛି । ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଅପରପକ୍ଷରେ ରାସ୍ତାର ଉଭୟ ପାଶ୍ୱର୍କୁ ଲୋକେ ଜବରଦଖଲ କରୁଥିବାରୁ ଜଳନିଷ୍କାସନରେ ବ୍ୟାଘାତ ସୃଷ୍ଟି ହେବା ସହ ଦିନ କୁ ଦିନ ରାସ୍ତା ସଂକୀର୍ଣ୍ଣ ହେବାରେ ଲାଗିଛି । ବନ୍ତ ବ୍ଲକର ମଧ୍ୟମ ସ୍ଥଳ ଦେଇ ୫୩ନଂ ରାଜ୍ୟ ରାଜପଥର ଭଦ୍ରକ – ଆନନ୍ଦପୁର ରାସ୍ତା ଗତି କରିଛି । ଏହାର ଉଭୟ ପାଶ୍ୱର୍ ଦେଇ (ବିକେବିଏମ୍‌)ବନ୍ତ-ବାରିକପୁର ଓ ବନ୍ତ-ମହାନ୍ତିପଡ଼ା ରାସ୍ତା ଼ ସହ ଅନ୍ୟାନ୍ୟ ରାସ୍ତା ବିଭିନ୍ନ ପ୍ରମୁଖ ସ୍ଥାନକୁ ସଂଯୋଗ କରିଛି । ବନ୍ତରୁ ବାରିକପୁର ପର୍ଯ୍ୟନ୍ତ ଯାଇଥିବା ୨୦ କିମି ରାସ୍ତା ୩୫ ନଂ ଜାତୀୟ ରାଜପଥକୁ ସଂଯୋଗ କରିଥିବା ବେଳେ ବନ୍ତ ମେଡିକାଲ ଠାରୁ ମହାନ୍ତିପଡ଼ା ୧୭ କିମି ରାସ୍ତା ତିନିଗୋଟି ଜିଲା ଯଥା ଭଦ୍ରକ ଜିଲାର ଆଗରପଡ଼ା , ବାଲେଶ୍ୱର ଜିଲାର ସୋର ଓ କେନ୍ଦୁଝର ଜିଲାର ସୋସୋ ଓ ବିଦ୍ୟାଧରପୁର ସହ ଆନନ୍ଦପୁରକୁ ସଂଯୋଗ କରିଛି । ଏହି ରାସ୍ତା ଉକ୍ତ ଅଂଚଳପାଇଁ ଅତ୍ୟନ୍ତ ନିରାପଦ ଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହାନ ବିଭିନ୍ନ ସ୍ଥାନକୁ ଯାତାୟତ କରନ୍ତି । ଉକ୍ତ ରାସ୍ତାକୁ ଗୁରୁତ୍ୱ ଦେଇ ପୂର୍ତ୍ତବିଭାଗ ପକ୍ଷରୁ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ତାହା ଖାଲଖମାରେ ପରିଣତ ହୋଇଥିଲା ।

ଉକ୍ତ ରାସ୍ତା ପ୍ରମୁଖ ସ୍ଥାନକୁ ସଂଯୋଗ କରିଥିବାରୁ ରାସ୍ତାର ସଂପ୍ରସାରଣ ସହ ସୁଚାରୁରୁପେ ମରାମତି ପାଇଁ ଅଚଳବାସୀଙ୍କ ପକ୍ଷରୁ ଦାବି ହେଉଥିଲା । ବନ୍ତରୁ ବାରିକପୁର ଯାଇଥିବା ରାସ୍ତାରେ ବିଭିନ୍ନ ସ୍ଥାନ ଖାଲ ଖମାରେ ପରିଣତ ହୋଇ ଯାତାୟତରେ ସମସ୍ୟା ସାଜୁଥିଲା । ସେହିପରି ଦୁଇବର୍ଷ ହେବ ବନ୍ତରୁ ଆଡ଼ିଆ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ର ପିଚୁ ଉଠିବା ସହ ପକ୍କା ରାସ୍ତାରେ ଫାଟମାନ ସୃଷ୍ଟି ହୋଇ ଯାତାୟତରେ ସମସ୍ୟା ସାଜୁଥିଲା । ଆଡ଼ିଆ ଠାରୁ ନୂଆପୋଖରୀ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଂଗୀନ ହୋଇଥିଲା । ପରେ କିଛି ଦିନ ପୂର୍ବେ ଉକ୍ତ ରାସ୍ତାର ମରାମତି କରାଯାଇଥିଲା । କିନ୍ତୁ ମରାମତି ଆଳରେ ଉକ୍ତ ରାସ୍ତାରେ ଠକେଇ ହୋଇଥିବାରୁ ବର୍ତ୍ତମାନ ଏହା ପୁଣି ମରଣଯନ୍ତା ପାଲଟିବାରେ ଲାଗିଛି । ଅନ୍ୟପକ୍ଷରେ ଉକ୍ତ ରାସ୍ତା ଦେଇ ବାଲିବୋଝେଇ (ହାଇୱା) ଟ୍ରକ ଗୁଡ଼ିକ ଦିନ ରାତି ଚାଲୁ ଥିବାରୁ ଉକ୍ତ ରାସ୍ତା ଅଧିକ ଖରାପ ହେଉଥିବାର ଅଭିଯୋଗ ହେଉଛି । ବନ୍ତ ହାଟ ପାଶ୍ୱର୍ ଜବରଦଖଲରେ ଥିବାରୁ ଟ୍ରାଫିକ ସମସ୍ୟା ଦେଖାଯାଉଛି । ଉକ୍ତ ରାସ୍ତାର ପାଶ୍ୱର୍ରେଥିବା ସରକାରୀ ଜମି ସହ ଗୋ ଚାରଣ ଭୂମିକୁ କିଛି ଲୋକ ଜବରଦଖଲ କରିବା ସହ ଉକ୍ତ ସ୍ଥାନକୁ ପୋତି ତାହା ଉପରେ ଦୋକାନ, ବାସଗୃହ ଓ ଚାଷ ଜମି କରିବା ଫଳରେ ବର୍ଷା ଦିନେ ଜଳନିଷ୍କାସନରେ ସମସ୍ୟା ଉପୁଜୁଛି । ଜଳନିଷ୍କାସନରେ ସମସ୍ୟା ଯୋଗୁଁ ଉକ୍ତ ଜଳ ଲୋକଙ୍କ ଘରେ ପଶିବା ସହ ଧାନକ୍ଷେତ ଗୁଡ଼ିକ ନଷ୍ଟ ହେଉଥିବାର ଅଭିଯୋଗ ହେଉଛି । ଏଥିପ୍ରତି ତହସିଲ ପ୍ରଶାସନ ର ଅଙ୍କୁଶ ନଥିବାରୁ ତାହା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାର ମଧ୍ୟ ସତର୍କତା ମୂଳକ ସୂଚନା ଫଳକ ଲଗା ଯାଇ ନଥିବାରୁ ନୂତନ ଯାତ୍ରୀଙ୍କୁ ସମସ୍ୟାରେ ପକାଉଛି । ଏହି ସମସ୍ୟା ପ୍ରତି ଜିଲ୍ଲା ଓ ତହସିଲ ପ୍ରଶାସନ ଦୃଷ୍ଟି ଦେବା ସହ ବିହିତ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି |