Onn 3

ସାପକୁ ଦେଖି ଭୟଭୀତ ହୋଇ ଟଳି ପଡ଼ିଲେ ବୃଦ୍ଧା, ଉଡ଼ିଗଲା ପ୍ରାଣ ବାୟୁ

State

 

snake

ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସେବକସାହିରେ ଘଟିଛି ଏକ ଅଭାବନୀୟ ଘଟଣା, ଯାହା କେବଳ କାହାଣୀରେ ଶୁଣିବାକୁ ମିଳୁଥିଲା, ସେହିଭଳି ଏକ ଚାଞ୍ଚଲ୍ୟକର ଘଟଣା ଶନିବାର ସନ୍ଧ୍ୟାରେ ଘଟି ଯାଇଛି ଲକ୍ଷ୍ମୀଧର ଭୋଇଙ୍କ ପରିବାରରେ। ନାଗସାପକୁ ଦେଖି ଭୟଭୀତ ହୋଇ ଲକ୍ଷ୍ମୀଧରଙ୍କ ପତ୍ନୀ ନାରଖାରୀ ଭୋଇ ହଠାତ୍ ଟଳି ପଡ଼ିଥିଲେ ଏବଂ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସୂଚନା ଅନୁସାରେ ଲକ୍ଷ୍ମୀଧରଙ୍କ ବାଡ଼ିରେ ଏକ କୁକୁଡ଼ା ଭାଡିରେ କିଛି କୁକୁଡ଼ା ଥିଲେ। ସେଥିରୁ ଗୋଟିଏ କୁକୁଡ଼ା ୭ଟି ଅଣ୍ଡା କୁଡୁକି ଧରି ମଧ୍ୟ ବସିଥିଲା। ଶନିବାର ସନ୍ଧ୍ୟାରେ ନାରଖାରୀ ଭୋଇ (୫୭) ଏକ ନାଗ ସାପକୁ କୁକୁଡ଼ା ଭାଡ଼ି ଆଡ଼କୁ ଯିବା ବେଳେ ଦେଖି ଭୟରେ ପାଟି କରି ଉଠିଲେ। ତାଙ୍କ ପାଟି ଶୁଣି ଅନ୍ୟମାନେ ଆସି ପହଞ୍ଚିବା ବେଳକୁ ନାରଖାରୀ ସେହି ସ୍ଥାନରେ ଟଳି ପଡ଼ିଥିଲେ। କିନ୍ତୁ ସାପର ଦେଖା ମିଳି ନଥିଲା। ନାରଖାରୀଙ୍କୁ ସାଙ୍ଗେ ସାଙ୍ଗେ ବାରଣ୍ଡା ଉପରକୁ ନେଇ ତାଙ୍କ ମୁହଁରେ ପାଣି ଛିଞ୍ଚି ସାଷ୍ଟମ କରିବା ପାଇଁ ଚେଷ୍ଟା କଲା ବେଳକୁ ତାଙ୍କର ଆଉ ନିଶ୍ୱାସ ପ୍ରଶ୍ୱାସ ଚାଲୁ ନ ଥିଲା । ତାଙ୍କର ହୃଦ୍‌ସ୍ପନ୍ଦନ ଆଉ କାମ କରୁ ନଥିଲା। ସାଙ୍ଗେ ସାଙ୍ଗେ ଲକ୍ଷ୍ମୀଧରଙ୍କ ପରିବାରରେ କାନ୍ଦ ବୋବାଳି ପଡିଗଲା। ଯେହେତୁ ଆଉ ନାରଖାରୀଙ୍କ ଦେହରେ ଜୀବନ ନଥିଲା। ତେଣୁ ଆଉ ଡାକ୍ତରଖାନା ନେଇ ପୋଷ୍ଟ ମର୍ଟମ କରିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ପରିବାର ଲୋକେ।

କିନ୍ତୁ, ସନ୍ଧ୍ୟା ପ୍ରାୟ ୮ ବେଳେ ଦେଖିବା ବେଳକୁ ନାଗସାପଟି କେତେ ବେଳେ ଆସି ଭାଡ଼ି ଭିତରେ କୁଡ଼ୁକି ବସିଥିବା କୁକୁଡ଼ାକୁ ମାରି ସାରି ତାର ମୁଣ୍ଡକୁ ଗିଳିବା ପାଇଁ ଚେଷ୍ଟା କରୁଥିଲା। ଯେହେତୁ, ମୃତ କୁକୁଡ଼ାଟିର ଆକାର ଯଥେଷ୍ଟ ବଡ ଥିଲା, ସାଢେ଼ ୩ ଫୁଟ ଲମ୍ବର ଛୋଟ ନାଗଟି ତାକୁ ଗିଳିବା ପାଇଁ ସକ୍ଷମ ହୋଇ ପାରୁ ନଥିଲା। ସାପ ଭୟରେ ସେଇ ଭାଡ଼ି ଭିତରୁ ଅନ୍ୟ ଛୋଟ ବଡ଼ କୁକୁଡ଼ା ସବୁ ନିକଟସ୍ଥ ଗଛ ଡାଳମାନଙ୍କରେ ବସିଥିଲେ। ଗୋଟିଏ ପଟେ ନାଗ ସାପ ଦେଖି ଭୟଭୀତ ହୋଇ ନାରଖାରୀଙ୍କ ଆକସ୍ମିକ ମୃତ୍ୟୁ। ଅନ୍ୟପଟେ କୁଡ଼ୁକି ଧରା କୁକୁଡ଼ାର ମୃତ୍ୟୁ ସହିତ କୁକୁଡ଼ାମାନେ ଜୀବନ ବଞ୍ଚାଇବା ପାଇଁ ଗଛ ଡାଳରେ ବସିବା ଘଟଣା ସେବକ ସାହି ଗାଁର ପରିବେଶକୁ ଆହୁରି ଆତଙ୍କମୟ କରି ଦେଇଥିଲା। ଲକ୍ଷ୍ମୀଧରଙ୍କ ପରିବାର ସାପକୁ ଧରି ନେଇଯିବା ପାଇଁ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନାଗ ସାପଟି କିନ୍ତୁ ସେଇ କୁକୁଡ଼ା ଭାଡ଼ିରେ ନଥିଲା।

ତେବେ, କିଛି ସମୟ ଖୋଜିବା ପରେ ଲକ୍ଷ୍ମୀଧରଙ୍କ ବାଡ଼ିରୁ ନଡ଼ିଆ ବରଡ଼ା ତଳେ ଲୁଚିଥିବା ନାଗ ସାପକୁ ଧରି ନେଇଥିଲେ ସୁଶାନ୍ତ। ସେ ନିଜର ବ୍ୟାଗ୍‌ରେ ସାପକୁ ଭର୍ତ୍ତି କରିବା ପାରେ ଲକ୍ଷ୍ମୀଧରଙ୍କ ପରିବାର କିଛି ମାତ୍ରାରେ ଆଶ୍ୱସ୍ତି ଲାଭ କରିଥିଲେ। ଲକ୍ଷ୍ମୀଧରଙ୍କୁ ପଚାରିବାରେ ନାରଖାରୀଙ୍କର ଆଗରୁ ହୃଦ୍‌ ସମ୍ବନ୍ଧୀୟ ବେମାରୀ ଥିଲା ଏବଂ ସେ ନାଗସାପକୁ ଦେଖି ହଠାତ୍ ଭୟଭୀତ ହୋଇଥିଲେ। ଫଳରେ ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଥିବା ସମ୍ଭବପର ବୋଲି ପାରିପାର୍ଶ୍ଵିକ ପରିସ୍ଥିତିରୁ ଅନୁମାନ କରି ହେଉଛି ବୋଲି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।