Onn 3

ଜଗା ଦର୍ଶନ ଛାତ୍ରଙ୍କ ଅଧା ରହିଲା, ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭାଯାତ୍ରା

State

ଆଗରପଡ଼ା:ଗତ ବୁଧବାର ସନ୍ଧ୍ୟାରେ ଘରୁ ସାଙ୍ଗମାନଙ୍କ ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ ପାଇଁ କେତେ ଆନନ୍ଦରେ ସଂଗ୍ରାମ ବାହାରିଥିଲେ ମାତ୍ର ସେଠାରେ ପହଂଚିବା ପୂର୍ବରୁ ଅଧାରାସ୍ତାରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତ ଅନ୍ତର୍ଗତ ପୁରୁଷଣ୍ଢ ଗ୍ରାମର ରାମଚନ୍ଦ୍ର ନାୟକଙ୍କ ସାନପୁଅ ସଂଗ୍ରାମ ତାଙ୍କର କିଛି ସାଙ୍ଗଙ୍କ ସହ ମିଶି ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ବାହାରିଥିଲେ । ସାଙ୍ଗମାନେ କଥାବାର୍ତ୍ତା ହୋଇ ରାତିରେ ଟ୍ରେନ ମଧ୍ୟରେ ଶୋଇ ପଡ଼ିଥିଲେ । ପୁରୀରେ ଟ୍ରେନ ପହଂଚିବା ପରେ ଅନ୍ୟମାନେ ସଂଗ୍ରାମଙ୍କୁ ନପାଇ ଚାରିଆଡ଼େ ଖୋଜାଖୋଜି କରିବା ସହ ତାଙ୍କ ମୋବାଇଲକୁ କଲ କଲାପରେ ମଧ୍ୟ କିଛି ଉତ୍ତର ପାଇପାରିନଥିଲେ ।

ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ସଂଗ୍ରାମ ମୋବାଇଲକୁ ବାରମ୍ବାର କଲ କଲାପରେ କେହିଜଣେ ମୋବାଇଲ କଲକୁ ରିସିଭ କରି ଗୋଟିଏ ପିଲା ବୈରୀ ଷ୍ଟେସନ ପାଖାପାଖି ଅଂଚଳରେ ମୃତ ଅବସ୍ଥାରେ ପଡ଼ିଥିବାର କହି କଲଟିକୁ କାଟିଦେଇଥିଲେ । ଏହି ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ସଂଗ୍ରାମଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ତେବେ ସଂଗ୍ରାମଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଓ କେମିତି ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ । ସଂଗ୍ରାମ ଆଗରପଡ଼ା କଲେଜର ଉଦ୍ଭିଦ ବିଜ୍ଞାନ ସମ୍ମାନ ବିଭାଗର ତୃତୀୟ ବର୍ଷ ଛାତ୍ର ଥିଲେ । ରକ୍ତ ଦାନ ପରି ମହତକାର୍ଯ୍ୟରେ ସେ ନିଜକୁ ସବୁବେଳେ ସାମିଲ କରୁଥିଲେ । ଏହି ଦୁଃଖଦ ଖବର ପାଇ କଲେଜ ଅଧ୍ୟକ୍ଷ,ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ କଲେଜରେ ନିରବ ପ୍ରାର୍ଥନା କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ମହମବତୀ ଶୋଭା ଯାତ୍ରାରେ ଆସି ବଜାର ପରିକ୍ରମା କରିଥିଲେ । ସଂଗ୍ରାମଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।