Onn 3

ବିଟିପୁର ଉପଡ଼ାକଘର ଚାଲିଛି ଭଡ଼ାଘରେ , କାଗଜ କଲମରେ ସୀମିତ ସ୍ଥାୟୀ ଗୃହ

State Uncategorized

ଆଗରପଡ଼ା:ଆଗରପଡ଼ା ସ୍ଥିତ ବିଟିପୁର ଉପଡ଼ାକଘର ବହୁ ପୁରାତନ । ମାତ୍ର ଏହି ପୁରାତନ ଡ଼ାକଘରଟି ଆଜି ଯାଏ ଭଡ଼ା ଗୃହରେ ଚାଲିଛି । ନିଜସ୍ୱ ଗୃହ ନଥିବାରୁ ଉକ୍ତ ଡ଼ାକଘର ବାରମ୍ବାର ବିଭିନ୍ନ ଭଡ଼ାଗୃହକୁ ସ୍ଥାନାନ୍ତର ହେଉଛି । ଦୋକାନ ଗୃହ ଉଦ୍ଦେଶ୍ୟରେ ନିର୍ମିତ ଭଡ଼ାଗୃହରେ ବର୍ତ୍ତମାନ ଡ଼ାକଘର ଚାଲିଛି । ଜକ୍ତ ସମସ୍ୟାକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ବର୍ଷ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଉକ୍ତ ଉପଡ଼ାକଘରର ଏକ ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ତାଙ୍କ ଚିଠି ନଂ ୭୧୪/୨୦୨୨ରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅବଗତ କରାଇଥିବା ଜଣାପଡ଼ିଥିଲା । ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଉକ୍ତ ପ୍ରସଙ୍ଗ କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣାପଡ଼ିଛି । ପ୍ରତିମାସ ଏହି ଡ଼ାକଘରେ ପ୍ରାୟ ୨୦ଲକ୍ଷ ଟଙ୍କାର ଦେଣନେଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ସେପରି କୌଣସି କିଛି ଉନ୍ନତ ଆଧୁନିକଧରଣର ସରଞ୍ଜାମମାନ ଯୋଗାଯାଇପାରିନାହିଁ ବୋଲି ଅଭିଯୋଗ ହେଉଛି । ସ୍ଥାନୀୟ ଅଂଚଳରେ ଅନ୍ୟତମ ପ୍ରମୁଖ ବିଦ୍ୟୁତ୍ କାଟ ସମସ୍ୟା ଯୋଗୁଁ ଡ଼ାକଘର ଉପରେ ଏହାର ପ୍ରଭାବ ପକାଉଛି । ବର୍ତ୍ତମାନ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାର୍ଯ୍ୟ ସଂପାଦନ ହେଉଥିବାରୁ ଏଠାରେ ଗ୍ରାହକ ମାନେ ଠିକ ଭାବେ ସେବା ପାଉନଥିବାର ଅଭିଯୋଗ ମାନ ହେଉଛି । ଏ

ହି ଉପଡ଼ାକଘର ଉପରେ ପ୍ରାୟ ୭ହଜାର ଗ୍ରାହକ ନିର୍ଭର କରିଆସୁଛନ୍ତି । କିନ୍ତୁ ଗ୍ରାହକମାନେ ଠିକ୍‌ଭାବେ ସେବା ପାଇପାରୁନଥିବାରୁ ଦେଶର ସର୍ବ ବୃହତ୍ତ ଯୋଗାଯୋଗ ବ୍ୟବସ୍ଥା ଭାବେ ପରିଗଣିତ ଡ଼ାକବିଭାଗ ଉପରୁ ଲୋକମାନଙ୍କର କ୍ରମଶଃ ଆସ୍ଥା ହ୍ରାସ ପାଇବାରେ ଲାଗିଛି । ସମଗ୍ର ବନ୍ତ ବ୍ଲକରେ ବନ୍ତ, ବସନ୍ତିଆ ଓ ଆଗରପଡ଼ାରେ ଉପଡ଼ାକଘର ରହିଛି । କେବଳ ବନ୍ତକୁ ଛାଡ଼ି ଦେଲେ ଅନ୍ୟ ଦୁଇଟି ଉପଡ଼ାକଘର ଭଡ଼ାଘରେ ଚାଲିଛି । ବହୁ ପୁରାତନ ବି.ଟି.ପୁର ଉପଡ଼ାକଘରର ନିଜସ୍ୱ ସ୍ଥାନ ନିରୂପଣ ସରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସ୍ଥାୟୀ ଗୃହ ନିର୍ମାଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନଥିବାରୁ ଏହା ଭଡ଼ାଘରେ ଚାଲିବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି । ଯାହାକି ଏହି ଉପଡ଼ାକଘର ଉପରେ ନିର୍ଭର କରିଆସୁଥିବା ଗ୍ରାହକ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି କରୁଛି । ବର୍ତ୍ତମାନ ଆଗରପଡ଼ା ଉପଡ଼ାକଘରେ କୋରବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ହୋଇଥିବାବେଳେ ଏହା ଅଧିନରେ ୮ଟି ଶାଖା ଡ଼ାକଘର ରହିଥିବା ସ୍ଥଳେ ବିଭିନ୍ନ ସମସ୍ୟା ଯୋଗୁ ଦିନକୁ ଦିନ ଗ୍ରାହକମାନଙ୍କ ଅସନ୍ତୋଷ ଭାବ ବଢିବାରେ ଲାଗିଛି । ତେଣୁ ଉକ୍ତ ଉପଡ଼ାକଘରର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।