Onn 3

ହାଟ ପରମ୍ପରାର ନିଆରା ଅନୁଭୂତି, ଦୁଇଶହ ବର୍ଷର ଐତିହ୍ୟକୁ ସାଉଁଟି ରଖିଛି ସୁଭଦ୍ରା ମହତାବ ହାଟ

State

ଆଗରପଡ଼ା: ଆଧୁନିକ ପରମ୍ପରାକୁ ଆପଣେଇବା ଇଚ୍ଛାରେ ମଣିଷ କ୍ରମଶଃ ଭୁଲିଯାଉଛି ହାଟ ପରମ୍ପରାକୁ। କିନ୍ତୁ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ଅବସ୍ଥିତ ଦୁଇଶହ ବର୍ଷର ସୁଭଦ୍ରା ମହତାବ ହାଟ ପରମ୍ପରାକୁ ବଞ୍ଚାଇବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି। ଚାଲ ଯିବା ଆଗରପଡ଼ା ହାଟ ହଳକରିବା ପାଇଁ ଶସ୍ତାରେ ମିଳିବ ବଳଦ। ଖାଇବାପାଇଁ ମିଳିବ ତଟକା ପରିବା। ଏହିପରି ଅନେକ କଥା ଶୁଣିବାକୁ ମିଳିଥାଏ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲ୍ଲା ଅଞ୍ଚଳର ଲୋକମାନଙ୍କଠାରୁ। ଆଗରପଡ଼ା ହାଟ ସହିତ ଏହିପରି ତିନି ଚାରିଟି ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷ ଧରି ସଂପର୍କ ରହିଆସିଅଛି। ଏହି ହାଟଟି ପ୍ରାୟ ୨ଶହ ବର୍ଷର ପୁରୁଣାହାଟ ବୋଲି ପୁରୁଖା ଲୋକମାନେ କୁହନ୍ତି। ବର୍ତ୍ତମାନ ହେଉଥିବା ସ୍ଥାନରେ ହାଟଟି ପାଖାପାଖି ୮୦ବର୍ଷ ଧରି ଚାଲିଛି। ପୂର୍ବରୁ ହାଟଟି ବର୍ତ୍ତମାନ ସୁଧାଂଶୁମାଳା -କାହ୍ନୁଚରଣ ମିଶନ ଚାଲୁଥିବା ସ୍ଥାନର ପଛପଟେ ଚାଲିଥିଲା।

ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ପୂର୍ବଜମାନେ ଏହି ହାଟଟି ଆରମ୍ଭ କରିଥିଲେ। ପରବର୍ତ୍ତୀ କାଳରେ ଡ. ମହତାବଙ୍କ ସହଧର୍ମିଣୀ ତଥା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭଦ୍ରା ମହତାବଙ୍କ ନାମରେ ଏହି ହାଟଟି ନାମିତ ହୋଇଛି। ପ୍ରାୟ ୩ଏକର ପରିମିତ ଅଞ୍ଚଳରେ ଏହା ଅବସ୍ଥିତ। ଗୋରୁହାଟ ରୂପେ ଖ୍ୟାତି ରହିଛି। ସବୁଧରଣର ଗୋରୁ ଏଠାରେ ବାରମାସ ମିଳିଥାନ୍ତି ପୁଣି ଶସ୍ତାଦରରେ। ଭଦ୍ରକ ବ୍ୟତୀତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଅଞ୍ଚଳବାସୀ ଗୋରୁ ଗାଈ କ୍ରୟ, ବିକ୍ରୟ କରିବାକୁ ନିର୍ଭର କରିଥାନ୍ତି ଏହି ହାଟ ଉପରେ। ପଶ୍ଚିମବଂଗରୁ ବ୍ୟବସାୟୀମାନେ ଏଠାକୁ ଆସି ବ୍ୟବସାୟ କରିଥାନ୍ତି। ସପ୍ତାହକୁ ୨ଥର ମଙ୍ଗଳବାର ଓ ଶନିବାରରେ ହାଟ ବସିଥାଏ। ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହାଟ ଚାଲିଥାଏ। ଛେଳି ବ୍ୟବସାୟୀମାନେ ଦୂରଦୂରାନ୍ତରୁ ଆସି ବ୍ୟବସାୟ କରିଥାନ୍ତି। ରଙ୍ଗବେରଙ୍ଗର କୁକୁଡ଼ା ସାଙ୍ଗକୁ ଖାସି ମାଂସ, ମାଛ ଦୋକାନ ରହିଛି। ଏଠାରେ ଅସଲି ଖାସି ମାଂସ ମିଳେ ବୋଲି ସମସ୍ତେ ଜାଣିଛନ୍ତି। ବାଲେଶ୍ୱରର ବଳରାମଗଡ଼ି ଓ ବାଲିଆପାଳ, ଭଦ୍ରକର ଚୁଡ଼ାମଣି ଓ ଧାମରା ଆଦି ଅଞ୍ଚଳର ବିରଳ ଇଲିଶି ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ମିଳିଥାଏ ଏହି ହାଟରେ। ଝୋଟରୁ ପ୍ରସ୍ତୁତ ବିଭିନ୍ନ କିସମର ତୁଣ୍ଡି, ରଶି, ଶିକା ଆଦି ବିକ୍ରି ହୁଏ। ବୁଡ଼ିଯାଉଥିବା ବାଉଁଶ ତିଆରି ଦ୍ରବ୍ୟ କୁଲା, ନାଳିଆ, ଅନ୍ଧୁଲି, ପୋହଳ, ଜାଲ, ଖଇଁଚି ଅତି ସୁଲଭ ମୂଲ୍ୟରେ ମିଳେ। ପଖିଆ, ଡୁଲି, ଛାଞ୍ଚୁଣି, ପହଁରା ଠାରୁ ଆରମ୍ଭ କରି ସମସ୍ତ ପନିପରିବା ମିଳିଥାଏ। ଡାଙ୍ଗମାଳ, ନଳିତାପାଟିଆ ସୋର-ଗୋପାଳପୁର ପ୍ରଭୃତି ସ୍ଥାନରୁ ଏଠାକୁ ବିକ୍ରିପାଇଁ ଆସିଥାଏ। ଶୁଖୁଆ, କରଞ୍ଜ ଓ ନିମତେଲ ଠାରୁ ଆରମ୍ଭ କରି ଗୁଡ଼କୁତ ସହ ସବୁ କିସମର ବସ୍ତ୍ରାଦି ବିକ୍ରି ହୋଇଥାଏ ଏଠାରେ। ଏହିପରି ଯାବତୀୟ ସାମଗ୍ରୀର ସମାହାର ଆଗରପଡ଼ା ସୁଭଦ୍ରା ମହତାବହାଟ ରେ ଦେଖିବାକୁ ମିଳିଥାଏ।

ଏହି ଐତିହ୍ୟ ସଂପର୍ଣ୍ଣ ହାଟରେ କ୍ରମଶଃ ନାନାଦି ସମସ୍ୟାମାନ ଦେଇ ଗତିକରୁଛି। ହାଟ ପରିସରଟି ବର୍ତ୍ତମାନ ମାଟି ସ୍ଥାନରେ ·ଲିଛି। ଯଦ୍ୱାରା ବର୍ଷା ଦିନେ କାଦୁଆ ପରିସ୍ଥିତି ସୃଷ୍ଟି ହେବା ଫଳରେ ଲୋକେ ଯାଆଆସ କରିବାରେ ଅସୁବିଧା ଭୋଗ କରୁଛନ୍ତି। ଏହା ଯଦି କଂକ୍ରିଟ ହୋଇପାରନ୍ତା ତାହା ହେଲେ ଆହୁରି ଅଧିକ ଲୋକ ହାଟ ସାମଗ୍ରୀ କିଣା କିଣି କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତେ। ନଡ଼ା ଛାଉଣୀ ଦୋକାନ ପରିବର୍ତ୍ତେ ଆଜବେଷ୍ଟସ ଛାଉଣୀ ହେଲେ ଦୋକାନୀମାନେ ବ୍ୟବସାୟ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତେ। ଗୋରୁ ଗାଈମାନେ ଠିଆ ହେବା ପାଇଁ ଆଜବେଷ୍ଟସ୍ ଛାଉଣୀ ଘର ନିର୍ମାଣର ଆବଶ୍ୟକତା ରହିଛି। ଏଥିପ୍ରତି ଦୃଷ୍ଟି ଦିଆଗଲେ ହାଟଟି ତାର ଏ୍ୟ÷ତିହ ପରଂପରା ବଜାୟ ରଖି ପାରନ୍ତା।