Photo For The News Of Raja

ଆଗରପଡ଼ା ଅଂଚଳରେ ଜମୁଛି ରଜ ମଉଜ

State

ଆଗରପଡ଼ା  : ଗାଁ ଠାରୁ ସହର ଯାଏଁ ସବୁଠି ଜମୁଛି ରଜ ମଉଜ । ଶୁ୍‌କ୍ରବାର ଠାରୁ ଆରମ୍ଭ ହୋଇଥିବା ରଜ ପର୍ବ ଆଗରପଡ଼ା ଓ ତାହାର ଆଖପାଖ ଅଂଚଳକୁ ଉତ୍ସବ ମୁଖର କରିଛି । ଟିକିରା ଆଇଡ଼ିଆଲ କ୍ଲବ ପକ୍ଷରୁ ଆୟୋଜିତ ୧୯ତମ ରଜ ମହୋତ୍ସବକୁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଉଦ୍‌ଘାଟନ କରିଥିବା ବେଳେ କ୍ଲବ ସଭାପତି ମନ୍ନଥ ଦାସ ଓ ତାଙ୍କ ସହଯୋଗୀ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । କମିଟି ସଭାପତି ମନ୍ମଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ଜିଲ୍ଲା ବିଜେଡ଼ି ଉପସଭାପତି ପ୍ରଶାନ୍ତ ଦାଶ,ବ୍ଳକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ, ସରପଂଚ ବିନୋଦିନୀ ମହାନ୍ତି,ସମିତିସଭ୍ୟା ପଦ୍ମାବତୀ ନାଥଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ୪ ଦିନ ବ୍ୟାପି ଏଠାରେ ଏହି ପର୍ବ ପାଳନ ହେବାକୁ ଥିବା ବେଳେ ବିଭିନ୍ନ ସଂଧ୍ୟାରେ ସାଂସୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଅନୁରୂପ ଭାବେ ସ୍ଥାନୀୟ ରାମଗଡ଼ପଦା ଠାରେ ଏହି ମହୋତ୍ସବ ଉଦ୍‌ଘାଟିତ ହୋଇଛି । ଏଠାରେ କିଛି ଉଦ୍ୟମି ଯୁବକ ୨୦୦୫ ମସିହା ଠାରୁ କମିଟି ଗଠନ କରି ରଜ ପର୍ବକୁ ଗଣ ପର୍ବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ରାମଦୋଳି, ବ୍ରେକ ଡ଼୍ୟାନ୍ସ ଦୋଳି, ଚକିରୀ ଦୋଳି, ଜୋଡ଼ା ଦୋଳି ଓ ମିକି ମାଉସ ରେ ଚଢ଼ି ଛୋଟ ଛୋଟ ପିଲାମାନେ ଆନନ୍ଦ ଉଠାଉଛନ୍ତି । ପ୍ରତ୍ୟେହ ଦିନ ବିଭିନ୍ନ ପ୍ରତିଯୋଗୀତା ସାଙ୍ଗକୁ ସଂଗୀତ, ନୃତ୍ୟ ପରିବେଷଣ ଓ ଶେଷ ଦିନରେ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଠାରେ ପାନଭଙ୍ଗା, ଝୋଟି ଚିତା, ପୁଚି, ପୋଡ଼ ପିଠା ପ୍ରସ୍ତୁତି ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଛି । ଏଥିପାଇଁ ସମଗ୍ର ପଡ଼ିଆ ଅଞ୍ଚଳକୁ ଆକର୍ଷଣୀୟ ତୋରଣ, ଆଲୋକମାଳା ସାଜ୍ଜସଜ୍ଜା ସହ ଦୋଳି ଓ ରଜବତୀ ଠାକୁରାଣୀ ନିର୍ମାଣ କରାଯାଇଛି । ଚଳିତ ବର୍ଷ ନୂତନ ଭାବେ ପୁରୁଷଣ୍ଢ କୁଦମଛକ ଠାରେ ଏହି ପର୍ବ ଆରମ୍ଭ ହୋଇଛି । ସେହିପରି ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ନିମପଡ଼ା କପାଳି କ୍ଷେତ୍ର ଓ ଗଣିଜାଙ୍ଗ ଠାରେ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଛି । ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଏହି ଅଞ୍ଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ପରମ୍ପରାକୁ । ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଞ୍ଚିଥିବା ବେଳେ ଏଠାକାର ଅଞ୍ଚଳରେ ଏହି ପର୍ବ କିନ୍ତୁ ଅଧିକ ସରସ ସୁନ୍ଦର ହେବାରେ ଲାଗିଛି । ଓଡ଼ିଆଣି ପିଠା ଆସନ ପିଜା ଗ୍ରହଣ କରିଥିବା ବେଳେ ଏଠାରେ ପୋଡ଼ ପିଠା, କାକରା, ମଣ୍ଡା ଆଦି ସୁଆଦିଆ ପିଠାର ବାସ୍ନା ଆଜି ଘରେ ଘରେ ଅନୁଭବ ହୋଇଛି । ଗାଁ ଦାଣ୍ଡରେ ଯିବା ବେଳେ ଏହାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଛି । ଗାଁ ଦାଣ୍ଡରେ ଭାସି ଆସିଛି ଗାଁ ଲଳନା ମାନଙ୍କ ସୁମଧୁର କଣ୍ଠରେ ବନସ୍ତେ ଡ଼ାକିଲା ଗଜ ……… ର ମନ ମତାଣିଆ କଣ୍ଠ ସ୍ୱର । ଗାଁର ବରଗଛ ମୁଳେ ପଟା ଦୋଳି ସାଂଗକୁ କୁନି କୁନି ଝିଅ ମାନଙ୍କ ମଧ୍ୟରେ ପୁଚି ଖେଳ, ଲୁଡ଼ୁ ଖେଳର ନିଆରା ମଜା ଦେଖିବାକୁ ମିଳୁଛି । ପୃଥିବୀ ରଜସ୍ୱାଳା ଥିବାରୁ ଗାଁ ମହିଳା ମାନେ ରୋଷେଇ କାର୍ଯ୍ୟ ନ କରି ତାସ ଖେଳରେ ମାତି ଥିବାର ଦେଖିବାକୁ ମିଳିଛି । ଯୁବକ ମାନଙ୍କ କବାଡ଼ି ଖେଳ ଗାଁ ଦାଣ୍ଡରେ ଏକ ନିଆରା ପରିବେଶ ସୃଷ୍ଟି କରିଛି । ମୋଟା ମୋଟି ଭାବେ ରଜ ପର୍ବ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି ।