Onn 3

ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଘରୁ ପୁଣି ମିଳିଲା ଆଉ ୩ ପ୍ଲଟ, କୋଟଏରୁ ଅଧିକ ଟଙ୍କା

Crime State

ଭୁବନେଶ୍ୱର: ସରୁନି ସମ୍ପତ୍ତି ତାଲିକା । ଯେତେ ଖୋଳିଲେ ସେତେ ବାହାରୁଛି । ଘରୁ ବାହାରୁଛି ପୁଳା ପୁଳା ଟଙ୍କା, ସୁନା ଆଉ ଜମି । ନବରଙ୍ଗପୁର  ଅତିରିକ୍ତ ଜିଲ୍ଲାପାଳଙ୍କ ଘରୁ ପୁଣି ଠାବ ହୋଇଛି ଆଉ ୩ ପ୍ଲଟ ।   ଭୁବନେଶ୍ୱରରେ ଗୋଟିଏ ଭଦ୍ରକରେ ଦୁଇଟି ବେନାମୀ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏଥିସହିତ ୬ଟି ବେନାମୀ ଆକାଉଣ୍ଟରେ ୧ କୋଟି ୨୦ ଲକ୍ଷ ଟଙ୍କା ଥିବା ଜଣାପଡିଛି ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଗତ ୨୩ ତାରିଖରେ ଭିଜିଲାନ୍ସ ରେଡ କରି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା । ତାଙ୍କ ଘରୁ ନଗଦ ୩ କୋଟି ଟଂକା ଜବତ ହୋଇଥିଲା । ଏଥିସହିତ ଜବତ ମୋଟ ସମ୍ପତ୍ତି ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ଥିବା ସୂଚନା ଦେଇଥିଲା ଭିଜିଲାନ୍ସ । ଏହା ପରେ କୁବେର ପ୍ରଶାନ୍ତ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅଧିକ ଜେରା ପାଇଁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା  । ଆଜି  ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହୋଇଛି । ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି।ଆସନ୍ତା ୭ ତାରିଖ ପୁଣି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ହାଜର ହେବେ ପ୍ରଶାନ୍ତ ।

ତେବେ ଏହି ରିମାଣ୍ଡ ସମୟରେ ଆହୁରି ସମ୍ପତ୍ତି ଥିବା  ଭିଜିଲାନ୍ସକୁ ସୁରାକ ମିଳିଛି । ତିନୋଟି ପ୍ଲଟ ସହ ୬ଟି ବେନାମୀ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କାର ଡିପୋଜିଟ ଠାବ ହୋଇଛି ।

ସୂଚନାଥାଉ କି, ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ଜାଗାରେ ଚଢ଼ାଉ କରାଯାଇଥିଲା ।  କାନନବିହାର ଏଚ୍ଆଇଜି ୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା ।  ଏହି ଟଙ୍କାକୁ ସେ  ପଡ଼ୋଶୀଙ୍କ ଛାତକୁ ଫିଙ୍ଗି ଦେଇ ଯାଇଥିଲେ ।   ପ୍ରଶାନ୍ତଙ୍କ ଘରୁ ଭିଜିଲାନ୍ସ  ପ୍ରାୟ   ୩ କୋଟି ଟଙ୍କା ଜବତ କରିଥିଲେ । ଏହାବ୍ୟତୀତ ୫ଟି ପ୍ଲଟ୍, କଟକ ଓ ଭୁବନେଶ୍ୱରରେ ଥିବା ୪ଟି ଏବଂ ନବରଙ୍ଗପୁର ଉମରକୋଟରେ ଥିବା ଗୋଟିଏ ବେନାମୀ ପ୍ଲଟ୍ ଠାବ କରିଛନ୍ତି।  ଭୁବନେଶ୍ୱରର ଇଣ୍ଡସଇଣ୍ଡ ବ୍ୟାଙ୍କରେ ଥିବା ଏକ ଆକାଉଣ୍ଟ ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି । ୨୦୧୯ ମସିହାରୁ ପ୍ରଶାନ୍ତ ରାଉତଙ୍କ ଦ୍ୱାରା ୨୧ ଲକ୍ଷ ଟଙ୍କା ସନ୍ଦେହଜନକ ଭାବେ ଏହି ଆକାଉଣ୍ଟରେ ଜମା କରାଯାଇଛି

ଏହାବ୍ୟତୀତ ୪୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଓ ବୀମା ଜମା,  ଦୁଇଟି ଚାରିଚକିଆ ଯାନ ଏବଂ ଗୋଟିଏ ଦୁଇଚକିଆ ଯାନର ମୂଲ୍ୟାୟନ କଲେ ମୋଟ୍ ୩୭  ଲକ୍ଷ ଟଙ୍କା ହେବ । ସୁନା ଓ ରୂପା ଅଳଙ୍କାରର ସହ ଘରକରଣା ସାମଗ୍ରୀକୁ ମିଶାଇଲେ ୨୧ ଲକ୍ଷ ୩୫ ହଜାର ଟଙ୍କାରୁ ଅଧିକ ମୂଲ୍ୟ ରହିଛି । ସେହିପରି ପ୍ରଶାନ୍ତ ରାଉତ ତାଙ୍କ ଝିଅର ଡାକ୍ତରୀ ପାଠପଢା ଏବଂ ତାଙ୍କ ପୁଅର ଶିକ୍ଷା ଖର୍ଚ୍ଚ ପାଇଁ ପ୍ରାୟ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

ସୂଚନା ଅନୁୟାୟୀ, ପ୍ରଶାନ୍ତ ରାଉତ ୧୯୯୬ ମସିହା ଜୁଲାଇ ୧ ତାରିଖରେ ଓଏଏସ୍ ଅଧିକାରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେ କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ କାର୍ଯ୍ୟ କରିଥିବା ବେଳେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ। ନିଲମ୍ବନ ପରେ ୨୦୨୦ ଜାନୁଆରି ୧୮ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ତାଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା।