ସମୟ ଚକ୍ରରେ ହଜିଗଲାଣି “ଉହା”
ଆଗରପଡ଼ା: ବିଭିନ୍ନ ପର୍ବ ପର୍ବାଣୀ ଆସିଲେ ମାଟିର କାରିଗର ତଥା କୁମ୍ଭକାରମାନଙ୍କର ଦିନ ହଜିଯାଇଥାଏ । ସେମାନେ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ନିର୍ମାଣରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ମାଟିରେ ତିଆରି ସାମଗ୍ରୀ ର ଚାହିଦା କମି ଯାଉଥିବାରୁ ରାଜ୍ୟରେ ମାଟି କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ଫଳରେ କାରିଗରମାନଙ୍କର ସାମାଜିକ ଓ ଆର୍ôଥକ ଦୂରାବସ୍ଥା ବଢିବାରେ ଲାଗିଛି । ତେବେ ବିଭାଗୀୟ ଉଦାସିନ ଯୋଗୁଁ ଏହି କାରିଗରୀ ଲୋପ ପାଉଥିବାର ଜଣାପଡ଼ିଛି । ମାଟି କାରିଗରୀ ଲାଗି ସରକାରଙ୍କ କେତେକ ଯୋଜନା ଥିଲେ ମଧ୍ୟ ତାହା କାରିଗର ଙ୍କ ପାଖରେ ଅପହଞ୍ଚ । କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ସେହି ଜାତିର କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ସଚେତନ କରାଇବା ର ଗୁରୁ ଦାୟିତ୍ୱ ନେଇଥିଲେ ସୁଦ୍ଧା ସେମାନଙ୍କର ମାନସିକତା ଅଭାବ ଓ ସରକାରୀ କର୍ମଚାରୀଙ୍କ ଅଣଦେଖା ଯୋଗୁଁ ଏହା ହୋଇପାରୁ ନାହିଁ । ଏମିତି କିଛି ନିତ୍ୟାବଶ୍ୟକ ସାମଗ୍ରୀ ଅଛି ଯେଉଁ ସାମଗ୍ରୀ ବିନା ବିଭାଘର, ବ୍ରତଘର ଓ ପୂଜା ଆଦି ଅସମ୍ଭବ । ଏହି ସବୁ କାର୍ଯ୍ୟରେ ମାଟିରେ ତିଆରି ଜିନିଷର ନିତ୍ୟାନ୍ତ ଆବଶ୍ୟକ ରହିଥାଏ ।
କିନ୍ତୁ ସେହି ସବୁ କାର୍ଯ୍ୟକୁ ସଂପାଦନ କରୁଥିବା ସଂପ୍ରଦାୟ ଆଜି ଅବହେଳିତ । ବିଜ୍ଞାନର ଉନ୍ନତି ସଙ୍ଗେ ସଙ୍ଗେ ଲୋକମାନଙ୍କର ପସନ୍ଦ, ରୁଚି ଆଦିରେ ପରିବର୍ତ୍ତନ ଘଟୁଛି । ଯେମିତି ମାଟିରେ ପ୍ରସ୍ତୁତ ସାମଗ୍ରୀକୁ ଲୋକମାନେ ପସନ୍ଦ ନକରି ଷ୍ଟିଲ, ଆଲୁମିନିୟମ୍, ସିଲ୍ଭର ଆଦି ଧାତୁ ନିର୍ମିତ ସାମଗ୍ରୀକୁ ପସନ୍ଦ କରୁଛନ୍ତି । ଏହାଦ୍ୱାରା ମାଟିରେ ପ୍ରସ୍ତୁତ କରୁଥିବା ଦ୍ରବ୍ୟକାରୀମାନେ ହାତବାନ୍ଧି ବସିବା ଫଳରେ ନିଜର କୌଳିକ ବୃତ୍ତିଠାରୁ ଦୂରେଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତସ୍ଥିତ ତ୍ରିସାଲିଆ ଏପରି ଏକ ଗ୍ରାମ ଯେଉଁ ଗ୍ରାମରେ ୭୦ପରିବାରର ପାଖାପାଖି ୫୦୦ ଜଣ କମ୍ଭକାର ସଂପ୍ରଦାୟର । ଏହି କୁମ୍ଭକାରମାନେ ଦୀର୍ଘବର୍ଷ ଧରି ଏଠାରେ ବସବାସ କରିବା ସହିତ ଅଧିକାଂଶ ମାଟି ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । ଏହା ସେମାନଙ୍କର କୌଳିକ ବୃତ୍ତି ହୋଇଥିବାରୁ ପିଢ଼ି ପରେ ପିଢ଼ି ଏହି କାର୍ଯ୍ୟକୁ ଆଦରି ନେଉଥିଲେ । ଏହି ବୃତ୍ତିକରି ବେଶ ଦୁଇପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଥିଲେ । କୁମ୍ଭକାରମାନଙ୍କ କଳାଚାତୁରୀ କୌଶଳ ଯୋଗୁଁ ସେମାନେ ସବୁଆଡ଼େ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେମାନଙ୍କଦ୍ୱାରା ମାଟିରୁ ପ୍ରସ୍ତୁତ ସାମଗ୍ରୀ ଆଖପାଖ ଭଦ୍ରକ, ବାଲେଶ୍ୱର ଓ କେଉଁଝର ଜିଲ୍ଲାର ଅଧିକାଂଶ ବ୍ଲକ ଅଞ୍ଚଳରେ ଥିବା ଲୋକମାନଙ୍କର ପ୍ରଥମ ପସନ୍ଦ ଥିଲା । ଏହାକୁ ଆଧାର କରି କୁମ୍ଭକାରମାନେ ଅଧିକ ଉତ୍ସାହିତ ହୋଇପଡ଼ି ଏହି କାର୍ଯ୍ୟକୁ ନିବିଡ଼ରୁ ନିବିଡ଼ତର କରିପାରିଥିଲେ । କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ କଳସୀ, ସୁରେଇର ସ୍ୱତନ୍ତ୍ରତା ରହିଥିଲା । ତୃଷାର୍ତ୍ତ ତୃଷ୍ଣା ମେଣ୍ଟାଇବା ପାଇଁ କଳସୀ ଓ ସୁରେଇରେ ଥିବା ଜଳ ଖୋଜୁଥିଲା । ସେତେବେଳେ ପ୍ରତି ଘରେ କଳସୀ ବା ସୁରେଇରେ ଜଳ ଭର୍ତ୍ତି ହୋଇ ରହୁଥିଲା । ଫ୍ରିଜ ଜଳଠାରୁ ଏହି ଜଳ ଅଧିକ ତୃଷ୍ଣା ନିବାରକ ଥିଲା । ଥଣ୍ଡାଜଳ ପାଇଁ କଳସୀ ଓ ସୁରେଇ ବଦଳରେ ବର୍ତ୍ତମାନ ଫ୍ରିଜ ବ୍ୟବହାର କରାଯାଉଛି । ଦେବାଦେବୀଙ୍କ ପୂଜା ହେଉ ବା ମେଳା କିମ୍ବା ବାହା ବେଦୀରେ କଳସ ବସାଇବା ପାଇଁ ମାଟି କଳସୀର ଆବଶ୍ୟକତା ଥିଲା । ବର୍ତ୍ତମାନ ଷ୍ଟିଲ କିମ୍ବା ଆଲୁମିନିୟମରୁ ପ୍ରସ୍ତୁତ ଲୋଟାରେ କାର୍ଯ୍ୟ ଚଳାଇ ଦିଆଯାଉଛି । ଅବଶ୍ୟ ବିବାହ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । କେବଳ କଳସ ପାଇଁ ନୁହେଁ ବାହାବେଦୀରେ ମାଟିପଲମ, ଦୀପ ଆଦି ବ୍ୟବହୃତ ହେଉଛି । ପୂର୍ବରୁ ଗୋପାଳମାନେ ମାଟି ଠେକିରେ ଦହି ଭର୍ତ୍ତି କରି ବିକ୍ରି କରୁଥିଲେ । ବର୍ତ୍ତମାନ ତାହା ସ୍ଥାନରେ ପଲିଥିନ ପ୍ୟାକେଟ୍ ବ୍ୟବହାର କରାଯାଉଛି । ମାଟିହାଣ୍ଡିରେ ପ୍ରସ୍ତୁତ ପଖାଳର ବାସ୍ନା ଓ ସ୍ୱାଦ ସ୍ୱତନ୍ତ୍ର । କିନ୍ତୁ ତାକୁ ଭୁଲି ବର୍ତ୍ତମାନ ଧାତବ ହାଣ୍ଡି ବ୍ୟବହାର କରାଯାଉଛି । ଧାନଉଷୁନା ମାଟିହାଣ୍ଡି ସ୍ଥାନ ଲୁହାକଡ଼ା ନେଲାଣି । ଅନ୍ୟ କିଛି ବିକଳ୍ପ ନଥିବାରୁ ମାନସିକଧାରୀମାନେ ଦେବୀ ପୀଠରେ ମାଟି ଘୋଡ଼ା ଅର୍ପଣ କରୁଛନ୍ତି ।
ଏଠାକାର କୁମ୍ଭକାରମାନଙ୍କ ମାଟି ସାମଗ୍ରୀ ପ୍ରସ୍ତୁତ କାର୍ଯ୍ୟ ଅନ୍ୟମାନଙ୍କ ଠାରୁ ନିଆରା ବୋଲି ବାରି ହୋଇପଡ଼େ । ବର୍ତ୍ତମାନ ପ୍ରୋତ୍ସାହନର ଅଭାବ ଯୋଗୁଁ ପାଖାପାଖି ୨୦ ପରିବାରର ସଦସ୍ୟ ଦାଦନ ଖଟୁଛନ୍ତି । ଏହି ସଂପ୍ରଦାୟର କିଛି କାରିଗର ଯଥା ଜଳଧର ସାହୁ, ପୁରୁଷୋତ୍ତମ ମୁଦୁଲି, ରଘୁନାଥ ରଣା, ନୃସିଂହ ମୁଦୁଲି ଓ ନାରାୟଣ ବେହେରା ଆଦିଙ୍କୁ ଯୋଗାଯୋଗ କରିବାରୁ ପୂର୍ବପରି ଆଉ ମାଟି ମିଳୁ ନଥିବାରୁ ଓ ମାଟିକୁ ଚଢା ଦରରେ କିଣାଯାଉଥିବାରୁ ଏଥିରୁ ପ୍ରସ୍ତୁତି ସାମଗ୍ରୀକୁ ବିକି ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ବୋଲି ସେମାନେ ଲୁହଭରା ନୟନରେ ପ୍ରକାଶ କରନ୍ତି । କିଛି ପରିବାର ସରକାରୀ ସହାଯ୍ୟ ସୁବିଧା ଯଥା ଭତ୍ତା ଆଦି ପାଇପାରି ନଥିବାର ମଧ୍ୟ କହନ୍ତି । ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଏହିପରି ଏକ ଗ୍ରାମ ଯେଉଁ ଗ୍ରାମରେ ୧୩ ପରିବାରର ପାଖାପାଖି ୬୦ ଜଣ କୁମ୍ଭକାର ସଂପ୍ରଦାୟର । ମାତ୍ର ଲୋକଙ୍କ ଚାହିଦା ନଥିବାରୁ ଏହି ବେଉସା କ୍ରମଶଃ ହଜି ହଜି ଯାଉଥିବାର ଲକ୍ଷ୍ୟ କରାଯାଉଛି । ହାତଗଣତି କେତେଜଣଙ୍କର ଘରେ ଉହା (ମାଟି ସାମଗ୍ରୀକୁ ଯେଉଁଠାରେ ପୋଡ଼ାଯାଏ) ଦେଖିବାକୁ ମିଳୁଛି । ଯେପରିକି ଏହି ଗ୍ରାମର ୧୩ ପରିବାର ମଧ୍ୟରୁ ଜଣେ କେବଳ ଏହି ବୃତ୍ତିକୁ ପାଥେୟ କରି ଜୀବିକା ନିର୍ବାହ କରିବା ସହ ନିଜ ପରିବାର ପ୍ରତିପୋଷଣ କରୁଥିବା ସ୍ଥଳେ ଅନ୍ୟ କୁମ୍ଭକାରମାନେ ଏହି ବୃତ୍ତିରୁ ମୁହଁ ଫେରାଇ ନେଲେଣି । ଯଦି ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିପାରନ୍ତା, ତେବେ ହୁଏତ କୁମ୍ଭକାରମାନଙ୍କ ବେଉସା ଉଜ୍ଜୀବିତ ହୋଇପାରନ୍ତା ବୋଲି ବୁଦ୍ଧିଜିବୀମାନେ ଆଶା ପୋଷଣ କରିଛନ୍ତି ।