Onn 3

ହରିଗଙ୍ଗା ପୋଲ ତଳେ ଆବର୍ଜ୍ଜନା ଭର୍ତ୍ତି, ଚାଷ ଜମିରୁ ଜଳ ନିଷ୍କାସନ ହେଉନି, ଚିନ୍ତାରେ ଚାଷୀ

State

ଆଗରପଡ଼ା: ଆଗରପଡ଼ା ମୁଖ୍ୟ ବଜାର କଲେଜ ଛକ ସନି୍ନକଟ ହରିଗଂଗା ପୋଲ ଅପରପାଶ୍ୱର୍ରେ ବିଭିନ୍ନ ଅଳିଆ, ଆବର୍ଜ୍ଜନା ପଡ଼ୁଥିବାରୁ ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ବିଭିନ୍ନ ସମୟରେ ଚାଷ କାର୍ଯ୍ୟ କରିବାରେ ଚାଷୀମାନେ ନାନାଦି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବର୍ଷାଦିନେ ବିଟିପୁର ପଂଚାୟତ ସ୍ଥିତ ଗଡ଼ସାହୀ, ବଂଗାଳୀସାହୀ, ମଥାପାଗିଆ, ହଳଦୀପହଣୀ ଆଦି ଗ୍ରାମବାସୀମାନଙ୍କ ଏକର ଏକର ଜମିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରହୁଥିବାରୁ ପ୍ରତିବର୍ଷ ଧାନଚାଷ ଅମଳ ଠିକ୍ ଭାବେ ହୋଇ ପାରୁ ନାହିଁ । ବେଳେବେଳେ ଚାଷୀମାନେ ନିଜ ପ୍ରଚେଷ୍ଟାରେ ପୋଲ ନିକଟରୁ ପାହାଡ଼ ପରି ରହିଥିବା ଅଳିଆ, ଅବର୍ଜ୍ଜନାକୁ ସଫା କରିବା ପରେ ଜଳନିଷ୍କାସନ ହୋଇଥାଏ । ମୁଖ୍ୟ କେନାଲ ବାମ ପାଶ୍ୱର୍ ଅଂଚଳ, ରାଉତରାପୁର, ପୁରୁଷଣ୍ଢ, ବିଟିପୁର ଧୋବାସାହୀ, ଭବାନୀଗଂଜ, ହାଟ ଆଦି ଅଂଚଳ ଜଳ ବାହାରି ଚାଷ ଜମି ଦେଇ ପୋଲ ନିକଟରେ ନିଷ୍କାସନ ହୋଇଥାଏ ।

ରାସ୍ତା ପ୍ରଶସ୍ତିକରଣ ସମୟରେ ବିଭାଗ ତରଫରୁ ଉକ୍ତ ପୋଲକୁ ଅଧିକ ଉଚ୍ଚତା ଓ ଚଉଡ଼ା କରାଯାଇ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହି ପୋଲ ନିକଟରେ ଦୈନିକ ମାଛ ହାଟ ଓ ଅନ୍ୟ ଆମିଷ ଦୋକାନ ମାନ ଖୋଲା ଯାଇଥିବାରୁ ଉକ୍ତ ଅଂଚଳରେ ଜଳ ନିଷ୍କାସନ ନ ହେବାରୁ ପରିବେଶ ଦୁର୍ଗନ୍ଧ ମୟ ହୋଇପଡ଼ୁଛି । ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଉକ୍ତ ଯୋଜନା ଏଠାରେ ସମ୍ପୁର୍ଣ୍ଣ ଫେଲ ମାରିଥିବା ଜଣାପଡ଼ିଛି । ସରକାରୀ ସ୍ତରରେ ଯଦି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୈାଣସି କିଛି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ଉକ୍ତ ସମସ୍ୟା ଅଂଚଳରେ ବଡ଼ଧରଣର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବବୋଲି ବୁଦ୍ଧିଜୀବୀଙ୍କ ସମେତ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।