Onn 3

ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ

National & International sports

 

IMAGE_1696072565

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ଏହି ସ୍ୱର୍ଣ୍ଣ ପଦକ। ଭାରତ ପକ୍ଷରୁ ଅଭୟ ସିଂହ ଓ ସୌରଭ ଘୋଷାଲ ଆଣିଛନ୍ତି ଏହି ଗୌରବ।
ଏହି ଇଭେଣ୍ଟର ଷ୍ଟାର ହେଉଛନ୍ତି ଅଭୟ ସିଂହ। ଗୁରୁତ୍ୱପୂର୍ଣ୍ଣ ତୃତୀୟ ମ୍ୟାଚ୍‌ରେ ସେ ପାକିସ୍ତାନର ନୂର ଜମାନଙ୍କୁ ୧୧-୭, ୯-୧୧, ୭-୧୧, ୧୧-୯, ୧୨-୧୦ରେ ପରାସ୍ତ କରିଥିଲେ। ଫଳରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାକୁ ସମର୍ଥ ହେଲା।
ଏହି ଇଭେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ହାରି ଯାଇଥିଲା। ଭାରତର ମହେଶ ମଙ୍ଗାଓକରଙ୍କୁ ପାକିସ୍ତାନର ନାସିର ଇକ୍‌ବାଲ ୧୧-୮, ୧୧-୩,୧୧-୨ରେ ପରାସ୍ତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ସୌରଭ ଘୋଷାଲ ଭଲ ଖେଳିଥିଲେ ଓ ପ୍ରତିଯୋଗିତାକୁ ୧-୧ ସ୍ଥିତିକୁ ନେଇ ଯାଇଥିଲେ। ସେ ପାକିସ୍ତାନର ମହମ୍ମଦ ଅସୀମ ଖାନଙ୍କୁ ୧୧-୫, ୧୧-୧, ୧୧-୩ରେ ପରାସ୍ତ କରି ଭାରତର ସ୍ୱର୍ଣ୍ଣ ଜିତିବା ଆଶାକୁ ଉଦ୍‌ଜୀବିତ କରିଥିଲେ। ଆଉ ତୃତୀୟ ମ୍ୟାଚ୍‌ରେ ଆଶା ପୂରଣ କରିଥିଲେ ଅଭୟ ସିଂହ।
ଅଭୟ ସିଂହଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ପାକିସ୍ତାନର ନୂର ଜମାନ। ଅଭୟ ପ୍ରଥମ ଗେମ୍‌କୁ ୧୧-୭ରେ ଜିତି ଥିଲେ। କିନ୍ତୁ ନୂର ଜମାନ ଦ୍ୱିତୀୟ ଗେମ୍‌ରେ କମ୍‌ ବ୍ୟାକ୍‌ କରିଥିଲେ। ସେ ଦ୍ୱିତୀୟ ଗେମ୍‌ରେ ୧୧-୯ରେ ଅଭୟଙ୍କୁ ହରାଇଥିଲେ। ତୃତୀୟ ଗେମ୍‌ରେ ମଧ୍ୟ ସେ ୧୧-୭ରେ ଜିତିଥିଲେ। କିନ୍ତୁ ତା’ପର ଦୁଇଟି ଗେମ୍‌ରେ ବାଜି ମାରିଥିଲେ ଅଭୟ।
ଏହା ପୂର୍ବରୁ ଆଜି ଭାରତକୁ ଟେନିସ୍ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ରୋହନ ବୋପାନ୍ନ-ରୁତୁଜା ଭୋସଲେ ଯୋଡ଼ି ଫାଇନାଲରେ ଜିତି ସ୍ୱର୍ଣ୍ଣ ପଦକ ହାତେଇ ଥିଲେ।
ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ୟା ୩୬ରେ ପହଞ୍ଚିଛି। ତା’ ମଧ୍ୟରେ ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି।