ରେ’ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କର ସ୍ବତନ୍ତ୍ର ଗାଇଡ୍ ଲାଇନ୍ ରହିଛି। କେଉଁମାନେ ଯୋଗ୍ୟ ହେବେ, କେଉଁମାନେ ବାଦ୍ ପଡ଼ିବେ, ଏ ସବୁ ସେହି ନିର୍ଦ୍ଦେଶାବଳୀ ଅନୁସାରେ ହେଉଛି। ଫଳରେ କୌଣସି ବସ୍ତିରେ ଏହାକୁ ନେଇ ବିବାଦ ଦେଖା ଯାଉନାହିଁ। ଯେଉଁମାନେ ଅଯୋଗ୍ୟ ହେଉଛନ୍ତି, ସେମାନଙ୍କୁ ଉଚ୍ଛେଦ କରାଯାଉଛି। କିନ୍ତୁ ବିଡିଏ ଏହି ଶାନ୍ତି ପଲ୍ଲୀବସ୍ତିରେ ନନ୍ ରେ’ ହିତାଧିକାରୀ ବାଛିଛି। ଏହି ନନ୍ ରେ’ ହିତାଧିକାରୀ ବାଛିବାରେ ମଧ୍ୟ କେଳେଙ୍କାରୀ ହୋଇଛି। ପ୍ରଥମେ ୨୦୧୦ ମସିହାରେ ଶାନ୍ତିପଲ୍ଲୀ ବସ୍ତିର ସର୍ଭେ ହୋଇ ୪୯୪ ରେ’ ହିତାଧିକାରୀ ଚିହ୍ନଟ ହୋଇଥିଲେ। ଆପତ୍ତି/ପ୍ରସ୍ତାବ ଆହ୍ବାନ କରାଯାଇ ୨୦୧୨ ମସିହାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହି ହିତାଧିକାରୀଙ୍କୁ ଘର ଦେବା ପାଇଁ ପ୍ରକଳ୍ପ ପ୍ରସ୍ତୁତ ହେଲା। ସମୁଦାୟ ୧୩୦୦ ଘର ତିଆରି ହେବାକୁ ଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ୪୯୪ ଜଣଙ୍କୁ ଘର ଦେବା ପାଇଁ ୩ଟି ବ୍ଲକ୍ରେ ୫୬୦ଟି ଘର ପ୍ରସ୍ତୁତ ହେଲା। କିନ୍ତୁ ହଠାତ୍ ବିଡିଏ ସେକ୍ରେଟାରି କବୀନ୍ଦ୍ର ସାହୁ ଏହାର ପୁନଃ ସର୍ଭେ କରି ନନ୍ ରେ’ ହିତାଧିକାରୀ ଚିହ୍ନଟ କରିବାକୁ ଯୋଜନା କଲେ। ପ୍ରଥମ ସର୍ଭେର ୧୩ ବର୍ଷ ପରେ ଅର୍ଥାତ୍ ଚଳିତ ବର୍ଷ ଏହି ପୁନଃ ସର୍ଭେ ହେଲା। ତାହା ପୁଣି ବସ୍ତିର ଅଧାଅଂଶରେ। ଏହି ସର୍ଭେରେ ୬୨୫ ଜଣ ନନ୍ ରେ’ ଚିହ୍ନଟ ହେଲେ। ଏ ସମସ୍ତଙ୍କୁ ଘର ଦେବା କଥା। କିନ୍ତୁ ସେଥିରେ ବି ବିଡିଏ କେଳେଙ୍କାରୀ କଲା। କାଣ୍ଟ ଛାଣ୍ଟ କରି ମାତ୍ର ୬୫ ଜଣଙ୍କୁ ନନ୍ ରେ’ ତାଲିକାଭୁକ୍ତ କଲା। ବାକି ୫୬୦ ଜଣଙ୍କୁ କାଟି ଦେଲା।
ଅନ୍ୟପଟେ ୧୩ ବର୍ଷ ତଳେ ରେ’ ହିତାଧିକାରୀ ତାଲିକାରେ ୪୯୪ ଜଣ ଥିଲେ। ଏମାନେ ରେ’ ନମ୍ବର ପାଇବା ସହ ଘର ପାଇବା ପାଇଁ ଚାହିଁ ବସିଥିଲେ। କିନ୍ତୁ ଦ୍ବିତୀୟ ବାର ସର୍ଭେ ପରେ ବିଡିଏ ଏହି ତାଲିକା(୪୯୪) ରୁ ୧୧୯ ଜଣଙ୍କୁ କାଟି ୩୭୫ଜଣଙ୍କୁ ଘର ଦେବା ପାଇଁ ସ୍ଥିର କଲେ। ଏବେ ଏହି ୧୧୯ ଜଣ ବାର ଦୁଆର ହେଉଛନ୍ତି। ପ୍ରଥମେ ଯୋଗ୍ୟ ହୋଇ ୧୩ ବର୍ଷ ପରେ କେମିତି ଅଯୋଗ୍ୟ ହେଲେ? ନନ୍ ରେ’ ତାଲିକାଭୁକ୍ତ ହୋଇ ଘର ପାଇବାକୁ ବସିଥିବା ୬୫ ଜଣ କିଏ? ସେମାନଙ୍କୁ ଘର ଦେବା ପାଇଁ ବିଡିଏ ଏତେ ତତ୍ପର କାହିଁକି? ଏହା ପଛରେ ଏକ ବଡ଼ କେଳେଙ୍କାରୀ ହୋଇଥିବା ଜଣାପଡ଼ିଛି। କର୍ପୋରେଟର ଏ ନେଇ ମୁହଁ ଖୋଲୁନଥିବା ବେଳେ ଖୋଦ୍ ବିଧାୟକ ମଧ୍ୟ ନିରବ ରହିଛନ୍ତି। ବିଡିଏ ଅଧିକାରୀମାନେ ହିଁ ଏହି କାରବାର କରୁଛନ୍ତି। ୧୧୯ ଜଣଙ୍କ ମଧ୍ୟରୁ ୧୧ ଜଣ ଅଦାଲତ ଯାଇଥିବା ଜଣାପଡ଼ିଛି।