Onn 3

ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ଜମି ହଡପ ମାମଲା, ଆରଡିସିଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି

State

ଜିଲ୍ଲାପାଳଙ୍କ ଠାରେ ଦାବି କଲେ ଆମେ ମୟୂରଭଞ୍ଜିଆର ସଦସ୍ୟ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ

ବାରିପଦା: ତଖତପୁର ସ୍ଥିତ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ଜାଲିଆତି ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇ ଛି । ସୂଚନା ମୁତାବକ ମହାରାଣୀ ତଖତକୁମାରୀ ୧୯୪୮ ମସିହା ଜୁନ୍ ୧୮ତାରିଖରେ ତାଙ୍କ ମାଲିକାନାରେ ଥିବା ମୋଟ ୨୬୮.୫୩ ଏକର ଜମିକୁ ଏହି ଶିକ୍ଷାନୁଷ୍ଠାନ ପାଇଁ ଦାନ କରିଥିଲେ । ମାତ୍ର ସରକାର ଏହି ଜମିକୁ ଏମପିସି ନାମରେ ନ କରି ଭିନ୍ନ ଭିନ୍ନ ଅନୁଷ୍ଠାନକୁ ଆବଣଅଡିତ କରି ଦେଇଥିବା ବେଳେ ଏନେକ ଜମିମାଫିଆ ଏହି ଜମିକୁ କବ୍ଚା କରି ରହିଛନ୍ତି । ତେବେ ୭୫ବର୍ଷରେ ପାଦାର୍ପଣ କରିଥିବା ଏହି ମହାନ ଶିକ୍ଷାନୁଷ୍ଠାନ ନାମରେ ବର୍ତ୍ତମାନ ସୁଦ୍ଧା ଏକଇଞ୍ଚ ଜମି ରେକର୍ଡଭୁକ୍ତ ନ ହେବା ନେଇ ସାରା ଜିଲ୍ଲାର ବୁଦ୍ଧିଜୀବୀ ମହଲ ଠାରୁ ଆରମ୍ଭ କରି ବର୍ତ୍ତମାନର ଛାତ୍ରସମାଜ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ସୋମବାର ଏହି ପ୍ରସଙ୍ଗରେ ଆମେ ମୟୂରଭଞ୍ଜିଆ ସଂଗଠନର ଏକ ପ୍ରତିନିଧି ମଣ୍ଡଳୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ପହଞ୍ଚି ଏହାର ସମାଧାନ ପାଇଁ ଦାବି କରିଥିଲେ । ଆମେ ମୟୂରଭଞ୍ଜିଆର ଆବାହକ ସଞ୍ଜୟ କୁମାର ଚୌଧୁରୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ଶିକ୍ଷାବିତ୍ ସରୋଜ କୁମାର ପଟ୍ଟନାୟକ, ଏମପିସିର ପୂର୍ବତନ ଅଧ୍ୟକ୍ଷା ଡଃ ବନଜା ମହାନ୍ତି, ଆର୍କିଟେକ୍ଟ ମନୋଜ କୁଅଁର, ଏମପିସି ଅଟୋନମାସ କଲେଜର ପିନିସପାଲ ଡଃ ମୁକ୍ତିକାନ୍ତ ପଣ୍ଡା ଏବଂ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଏହି ଆଲୋଚନା ସମୟରେ ଏଡିଏମ ଅକ୍ଷୟ ସୁନୀଲ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ପ୍ରତିନିଧି ମଣ୍ଡଳୀଙ୍କ ଠାରୁ ଏମପିସି ଜମି କେଳେଙ୍କାରୀ ମାମଲା ସଂପର୍କରେ ଶୁଣିବା ପରେ ଏହି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଏହି ଜମିଜମା ପ୍ରସଙ୍ଗରେ ତନ୍ନତନ୍ନ କରି ବୁଝାଇବା ସହିତ ୨୦୨୨ ମସିହା ଜାନୁଆରୀ ୧୧ତାରିଖରେ ଆରଡିସି ଦେଇଥିବା ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଏ ସଂପର୍କରେ ଅନୁଧ୍ୟାନ କରି ବାରିପଦା ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବେ ଏବଂ ଏ ପ୍ରସଙ୍ଗରେ ଆଶ୍ୱସ୍ତ ରହିବାକୁ କହିଛନ୍ତି । ସେପେଟେ ମହାବିଦ୍ୟାଳୟର ପରିଦର୍ଶନ ପାଇଁ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ମୁକ୍ତିକାନ୍ତ ପଣ୍ଡା ଅନୁରୋଧ କରିଥିବା ବେଳେ ଜିଲ୍ଲାପାଳ ଖୁବ୍ ଶୀଘ୍ର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ଭାବବିନିମୟ କରିବେ ବୋଲି କହିଛନ୍ତି ।