Onn 3

ଚିନ୍ତା ବଢାଉଛି ସ୍କ୍ରଵ ଟାଇଫସ, ବରଗଡରେ ସ୍ୱତନ୍ତ୍ର ଡାକ୍ତରୀ ଦଳ

Health and Science State

ବରଗଡ଼: ରାଜ୍ୟରେ ବିଷାକ୍ତ କୀଟ କାମୁଡାରେ ଅନେକ ଲୋକଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ଚିନ୍ତାରେ ପଡିଛି ସ୍ଵାସ୍ଥ୍ୟ ବିଭାଗ । ବରଗଡରେ ସ୍କ୍ରଵ ଟାଇଫସ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ସତ୍ୟତା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ତିନିଜଣିଆ ଡାକ୍ତରୀ ଦଳ ବରଗଡ଼ରେ ପହଞ୍ଚିଛନ୍ତି । ବରଗଡ ସିଡିଏମଓଙ୍କୁ ଭେଟି ବରଗଡ଼ ଜିଲ୍ଲାରେ ବ୍ୟାପୁଥିବା ସ୍କ୍ରଵ ଟାଇଫସ ରୋଗ ଉପରେ ଆଲୋଚନା କରିଛନ୍ତି ଏହି ଦଳ l

ବିଷାକ୍ତ କୀଟ ଚିଗର କାମୁଡିବା ଦ୍ୱାରା ହେଉଥିବା ସ୍କ୍ରଵ ଟାଇଫସ ରୋଗ କାରଣରୁ ବରଗଡ଼ ଜିଲ୍ଲାରେ ଗତ କିଛି ଦିନ ଭିତରେ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ସତରେ ଏହା ସ୍କ୍ରଵ ଟାଇଫସରୁ ହୋଇଛି ନାଁ ତାହାର ଅନ୍ୟ କିଛି କାରଣ ରହିଛି ସେନେଇ ଏହି ସ୍ୱତନ୍ତ୍ର ଡାକ୍ତରୀ ଦଳ ଅନୁଧ୍ୟାନ କରିବେ l ଏହି ରୋଗରେ ମୃତ୍ୟୁବରଣ କରିଥିବା ସମସ୍ତ ଗୋରୀଙ୍କ ପରିବାର ଲୋକଙ୍କୁ ଭେଟିବା ସହିତ ସେମାନଙ୍କର ଚିକିତ୍ସା ପ୍ରଣାଳୀର ସମସ୍ତ କାଗଜପତ୍ରକୁ ତଦାରଖ କରିବେ ଏହି ଡାକ୍ତରୀ ଦଳ l ଏହି ୩ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳରେ ଭୁବନେଶ୍ୱରର ଡ଼ା. ସୁସ୍ମିତା ନାଏକ, ଡ଼ା. ସୁନିତା ଜେନା, ଓ ଡ଼ା. ସୁଭାଶିଷ ମହାନ୍ତି ରହିଛନ୍ତି । ଏହି ଦଳ ଆଜି ପ୍ରଥମେ ବରଗଡ଼ ସିଡିଏମଓ ଜିତେନ୍ଦ୍ର ମୋହନ ବେବର୍ତାଙ୍କ ସହିତ ସାକ୍ଷାତ କରି ଏହି ରୋଗ ବିଷୟରେ ଆଲୋଚନା କରିଥିଲେ l

ଦୁଇଦିନ ତଳେ ବରଗଡକୁ ବୁର୍ଲା ଭୀମସାରର ତିନି ଜଣିଆ ଡାକ୍ତରୀ ଟିମ ତଦାରଖ ପାଇଁ ଆସିଥିଲେ ଏବଂ ସ୍କ୍ରବ ଟାଇଫସ ରୋଗ ଉପରେ ବରଗଡର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କଲାପରେ ଆଜି ପୁଣି ରାଜ୍ୟ ସ୍ତରୀୟ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ବରଗଡ଼ରେ ପହଁଞ୍ଚିଛନ୍ତି l ତେବେ ବରଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୪୮୨ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କର ନମୁନା ପଜିଟିଭ ଆସିଛି ଏବଂ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ବର୍ତମାନ ସୁଦ୍ଧା ସୁସ୍ଥ ରହିଥିବା ବରଗଡ ସିଡିଏମଓ ଜଣାଇଛନ୍ତି | ତେବେ ଆଗାମୀ ଦିନରେ ସ୍କର୍ବ ଟାଇଫସ ପ୍ରତି ଲୋକଙ୍କୁ  ଅଧିକରୁ ଅଧିକ ସଚେତନ କରାଯିବା ସହିତ ସ୍କ୍ରଵ ଟାଇଫସ ପରୀକ୍ଷଣକୁ ବୃଦ୍ଧି କରାଯିବା ନେଇ ଆଜି ବରଗଡ଼କୁ ଆସିଥିବା ରାଜ୍ୟ ସ୍ତରୀୟ ଡାକ୍ତରୀ ଟିମ ନିର୍ଦେଶ ଦେଇଛନ୍ତି  l