Onn 3

ସମୂହ ଛୁଟି ନେବା ପୂର୍ବରୁ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

State

ବାରିପଦା :  ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ଭବନ ପରିସରରେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ରାଜ୍ୟ ସଂଘର ନିଷ୍ପତ୍ତି ମୁତାବକ ତିନି ଦଫା ଦାବି ପୂରଣ ନିମନ୍ତେ ଯଥା – ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ସହ କଳା, କ୍ରୀଡା ଓ ଗଣଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ, ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ସ୍କିମକୁ ବାତିଲ କରି ପୁରୁଣା ପେନସନ ସ୍କିମ ଲାଗୁ କରିବା ଉପରେ ପ୍ରତ୍ୟେକ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ 8 ତାରିଖରୁ ଆରମ୍ଭ ହୋଇଥିବା ଗଣଧାରଣା ଚଳିତ ମାସ 16 ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା I

ମାତ୍ର ବିଦ୍ୟାଳୟ କାର୍ଯ୍ୟ ପରିଚାଳନା ସହ ପାଳିକରି ଗଣଧାରଣାକୁ ସଫଳ କରିବା ପାଇଁ ପ୍ରତି ବିଦ୍ୟାଳୟକୁ ଅବଗତ କରିବାକୁ ନେତୃବୃନ୍ଦଙ୍କୁ ଅନୁରୋଧ କରାଗଲା I ଉକ୍ତ 16 ତାରିଖ ଦିନ ଜିଲ୍ଲା ସ୍ତରରେ ସମୀକ୍ଷା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ ପ୍ରକାଶ କରିଛନ୍ତି I ଆରତ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିମଳ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, ଯାମିନୀକାନ୍ତ ପଣ୍ଡା, ରାଜେନ୍ଦ୍ର ମହାନ୍ତ, ଭବେଶ ପାଣିଗ୍ରାହୀ, ଛବିଲତା ବାରିକ, ରାକେଶ ପ୍ରଧାନ, ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ, ଶିବ ନାରାୟଣ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ