Onn 3

ସମୟସୀମା ପରେବି ସରିଲାନି ରାସ୍ତା ନିର୍ମାଣ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଆଣ୍ଠୁଏ ପାଣି

State

ଆଗରପଡ଼ା :ସମୟସୀମା ସରିଯିବା ପରେ ବି ରାସ୍ତା ନିର୍ମାଣ ନ ସରିବାରୁ ଅସରାୟ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହି ଗମନାଗମନରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବରପଦା-କାଣ୍ଡବା ପିଡ଼ବ୍ଳୁଡ଼ି ରାସ୍ତା ଠାରୁ ପିଡ଼ବ୍ଳୁଡ଼ି ରାସ୍ତା ପାନବଦୀ ଛକ ପର୍ଯ୍ୟନ୍ତ ଲମ୍ବିଥିବା ୬.୧୦୦କି.ମି ରାସ୍ତାର ନିର୍ମାଣ ଠାରେ । ସୂଚନା ଅନୁଯାୟୀ ;ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୧ ଡ଼ିସେମ୍ବର ମାସ ୧ ତାରିଖରୁ ଆରମ୍ଭ ହୋଇ ୨୦୨୨ ଅକ୍ଟୋବର ୩୧ ତାରିଖରେ ଶେଷ ହେବା କଥା କିନ୍ତୁ ବିଡ଼ମ୍ବନାର ବିଷୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା । ଯଦ୍ୱାରା ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ପ୍ରଥମେ ଉକ୍ତ ରାସ୍ତା ମୋରମ ଓ ମେଟାଲ ରାସ୍ତାରେ ନିର୍ମାଣ ହୋଇ ପରେ ପିଚୁ ରାସ୍ତାରେ ପରିଣତ ହୋଇଥିଲା ।

ସରମରା, ଗୋହିରା, ଟିଲୋ, ଦେବତାଗଡ଼ିଆ, ତୋଟାସାହି, ମଙ୍ଗୁଲି, ଓଡ଼ଙ୍ଗ, ବୋଡ଼କପାଟଣା,ବୋଡ଼କମହାଜୀବୀ ଆଦି ବିଭିନ୍ନ ସ୍ଥାନକୁ ସଂଯୋଗ କରିଥିବାରୁ ଏହା ଉପରେ ନିର୍ଭର କରୁଥିବା ଉପରୋକ୍ତ ଗ୍ରାମର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତାଉପରୁ ପିଚୁ ଉଠିବା ସହିତ ଅନେକ ସ୍ଥାନରୁ ରାସ୍ତା ଉପରୁ ମେଟାଲ ଉଠିଯାଇ ଖାଲଖମାରେ ପରିଣତ ହୋଇଥିଲା ଯଦ୍ୱାରା ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ରାତି ସମୟରେ ସୃଷ୍ଟି ହୋଇଥିବା ଗର୍ତରେ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହେଉଥିଲେ । ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଦାବି ହେବା ପରେ ଏହି ରାସ୍ତାର ମରାମତି ଅବଧି ସରିବାର ୪ ମାସ ପରେ ଅର୍ଥାତ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା କିନ୍ତୁ ଏହା ଅଧପନ୍ତରିଆ ଅବସ୍ଥାରେ ରହିଯାଇଥିବାରୁ ବର୍ତ୍ତମାନ ପାରାବନ୍ଧ ଠାରୁ ସରମରା ପର୍ଯ୍ୟନ୍ତ ଲମ୍ବି ଥିବା ରାସ୍ତା ଉପରେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମି ରହି ଗମନା ଗମନରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ତେଣୁ ଅଧପନ୍ତରିଆ ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।