Onn 3

ଅବ୍ୟବସ୍ଥାରେ ରଇଁତିରା ବିଦ୍ୟାଳୟ, ପିଲାଙ୍କ ପାଇଁ ବିପଦ ପରିତ୍ୟକ୍ତ ଗୃହ, ୫ଗୃହରେ ୮ଶ୍ରେଣୀ

State

ଆଗରପଡ଼ା: ବନ୍ତ ବ୍ଲକ ଅର୍ନ୍ତଗତ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଇଁତିରା ଅବ୍ୟବସ୍ଥାରେ ରହିଛି । ଏଠାରେ ପିଲା ଅଛନ୍ତି ଓ ଶିକ୍ଷକବି ଅଛନ୍ତି କିନ୍ତୁ ଶୈକ୍ଷିକ ପରିବେଶ ନଥିବାରୁ ତାହା ପିଲାଙ୍କ ଶିକ୍ଷାଲାଭ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ନାଗରିକର ମୈାଳିକ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥିବାରୁ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଗୁରୁ ଦାଇତ୍ୱ ରହିଛି । ଉକ୍ତ ଯୋଜନାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ବିଦ୍ୟାଳୟରେ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିବାସହ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏବେ କେବଳ ପ୍ରଚାର ଓ ପ୍ରସାରରେ ସିମିତ ପ୍ରାୟ ଥିବାର ଜଣାପଡ଼େ । ୧୯୫୮ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୭୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୫ଟି ଗୃହ ରେ ଚାଲିଛି ୮ଟି ଶ୍ରେଣୀର ପାଠପଢା । ୧ମ ଓ ୨ୟ ଶ୍ରେଣୀ,୩ୟ ଓ ୪ର୍ଥ ଶ୍ରେଣୀ ଏବଂ ୫ମ ଓ ୬ଷ୍ଠ ଶ୍ରେଣୀ ମିଶାମିଶି ହୋଇ ୩ଟି ଗୃହରେ ଚାଲିଛି ।

ଅନ୍ୟ ୨ଟି ଗୃହରେ ୭ମ ଓ ୮ମ ଶ୍ରେଣୀ ଚାଲିଛି । ଶ୍ରେଣୀ ଗୃହ ଓ କମ୍ପ୍ୟୁଟର ଶିକ୍ଷକ ଅଭାବରୁ ଉକ୍ତ ବିଦ୍ୟାଳୟରେ କମ୍ପ୍ୟୁଟର ଥିଲେ ମଧ୍ୟ ଛାତ୍ରଛାତ୍ରୀ ଉକ୍ତ ଶିକ୍ଷାରୁ ବଂଚିତ ହେଉଥିବା ବେଳେ କମ୍ପୁଟର ସବୁ ଖତ ଖାଉଛି । ସ୍କୁଲ ପରିବେଶରେ ପରିତ୍ୟକ୍ତ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହିବି କର୍ଣ୍ଣପାତ କରୁନଥିବା ଜଣାପଡ଼ିଛି । ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାଇତ୍ୱ ପଂଚାୟତର ଥିବାରୁ ଏଠାରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ସରକାରୀ ସ୍ତରରେ ଛତୁ ଫୁଟିବା ପରି ବିଦ୍ୟାଳୟମାନ ଖୋଲା ଯାଉଥିଲେ ସୁଦ୍ଧା ଅଧ୍ୟୟନ କ୍ଷେତ୍ରରେ ସେହିପରି କୌଣସି ସୁବିଧା ସୁଯୋଗ ଉପଲବ୍ଧ ହେଉ ନଥିବାରୁ ଏହା ଦ୍ୱାରା କିଛି ସୁଫଳ ମିଳିବା ବଦଳରେ ଏହା ଏକ ପ୍ରହସନରେ ପରିଣତ ହେଉଛି । ଏହି ପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିତ ଭାବେ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଉପରେ କୁପ୍ରଭାବ ପକାଇବ । ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।