Upsc

ଆଇଏଏସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ବାଜିମାତ୍

State

ଭୁବନେଶ୍ବର/ତାଳଚେର: ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଷ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଭାଲୁଗଡ଼ିଆରେ ଅନିମେଶଙ୍କ ଘର। ବାପ-ମା’ ହରାଇଥିଲେ ମଧ୍ୟ ଅନିମେଶ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ତମ ସ୍ଥାନ ପାଇଥିବା ବେଳେ ୩୬ତମ ସ୍ଥାନରେ ଅଛନ୍ତି ଆୟୁଷି ପ୍ରଧାନ। ସେହିପରି ଜୟଶ୍ରୀ ପ୍ରଧାନ(୫୨), ଅଭିମନ୍ୟୁ ମଲ୍ଲିକ(୬୦), ଅମ୍ରିତାଂଶୁ ନାୟକ(୧୧୦), ଯଶୋବନ୍ତ ମଲ୍ଲିକ(୧୧୫), ୧୪୯ରେ କୃତୀ ତ୍ରିପାଠୀ, ପଦ୍ମନାଭ ମିଶ୍ର(୧୭୬), ୨୦୪ରେ ଶୁଭ୍ରା ପଣ୍ଡା ଓ ୨୫୯ କୁମୁଦ ମିଶ୍ର ଅଛନ୍ତି। ସେହିପରି ୨୬୯ତମ ସ୍ଥାନରେ ତାନିଆ ମିଶ୍ର, ୩୦୩ତମ ସ୍ଥାନରେ ତନିଷା ମିଶ୍ର, ୩୪୩ତମ ସ୍ଥାନରେ ବିଶ୍ବଜିତ ପଣ୍ଡା ଅଛନ୍ତି। କାଳହାଣ୍ଡିର ସିଦ୍ଧାର୍ଥ ବେଶ୍ରା ୮୦୦ତମ ସ୍ଥାନରେ ଅଛନ୍ତି।

ସୂଚନାଯୋଗ୍ୟ, ୟୁପିଏସସି ପରୀକ୍ଷା ଗତବର୍ଷ ୨୮ ମଇରେ ଆୟୋଜିତ ହୋଇଥିଲା। ଯେଉଁମାନେ ପ୍ରିଲିମ୍ସରାଉଣ୍ଡରେ ପାସ୍ କରିଥିଲେ, ସେମାନେ ମେନ୍‌ ପରୀକ୍ଷା ଦେଇଥିଲେ। ମେନ୍‌ ପରୀକ୍ଷାର ଫଳାଫଳ ୮ ଡିସେମ୍ବର ୨୦୨୩ରେ ଘୋଷଣା ହୋଇଥିଲା।