Onn 3

ମୂଲ୍ୟହିନ ପାଲଟିଛି ସୂଚନା ଫଳକ ନିର୍ମାଣ, ସୂଚନା ଫଳକରେ ମାଡ଼ିଗଲାଣି ଲଟାବୁଦା

State

ଆଗରପଡ଼ା:ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ଯଦ୍ୱାରା ସୂଚନା ଫଳକ ନିର୍ମାଣ ମୂଲ୍ୟହୀନ ପାଲଟିଛି । ସୂଚନା ଅନୁଯାୟୀ;ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ତୋଟାସାହି ଠାରେ ଥିବା ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ଉନ୍ନତି କରଣ ସ୍ଥିତିତ୍ୱ ହରାଇଥିବା ଫଳକରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଥିଲା । ସରକାରୀ ସ୍ତରୀୟ କୌଣସି ଉନ୍ନତି ମୂଳକ କାର୍ଯ୍ୟାରମ୍ଭ ହେଲେ କାର୍ଯ୍ୟସ୍ଥଳୀ ନିକଟରେ ଫଳକ ନିର୍ମିତ ହେବା ସହ ସୂଚନା ଲିପିବଦ୍ଧ ହେବା ବାଧ୍ୟତା ମୂଳକ ହୋଇଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସ୍ଥାପିତ ହୋଇଥିବା ସୂଚନା ଫଳକଟି ତଳେ ଗଳିପଡ଼ିଥିବା ବେଳେ ଉକ୍ତ ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷର କୌଣସି ସୂଚନା ନଥିଲା ।

ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗଳି ପଡ଼ିଥିବା ଫଳକକୁ ମରାମତି କରି ନୂତନ ଭାବେ ପୁଣିଥରେ ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ଫେବୃଆରୀ ମାସ ୨୨ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ିଛି । ଏବଂ ବର୍ତ୍ତମାନ ଉକ୍ତ ଖେଳ ପଡ଼ିଆ କେବଳ ଅନାବନା ଗଛ ଓ ଗୁଳ୍ମ ଘେରରେ ନିଜର ଉନ୍ନତିକରଣର ସୂଚନା ଦେଉଛି । ସେହିପରି ତୋଟାସାହି ଠାରେ ତୋଟାସାହି ପଂଚାୟତ ପୋଖରୀର ପୁନଃଉଦ୍ଧାର ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ମାର୍ଚ୍ଚ ମାସ ୦୩ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ୁଥିବା ବେଳେ ତ୍ତ୍‌ବର୍ତ୍ତମାନ ଫଳକରେ ଲଟାବୁଦା ମାଡ଼ିଗଲାଣି । ଯଦ୍ୱାରା ଏହାର ନିର୍ମାଣ ପ୍ରହସନରେ ପରିଣତ ହେବାକୁ ଯାଉଛି । ଖାଲି ଓଡ଼ଙ୍ଗ ପଂଚାୟତ ନୁହେଁ ବ୍ଲକର ଅନ୍ୟ ପଂଚାୟତରେ ମଧ୍ୟ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । ତେଣୁ ଏଠାରେ ପ୍ରଶ୍ନ ଉଠୁଛିଯେ କାର୍ଯ୍ୟ ଆରମ୍ଭ ହୋଇ କଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ରହୁଛି ନା ବିନା କାର୍ଯ୍ୟରେ କେବଳ ଆରମ୍ଭର ସୂଚନା ଦିଆଯାଇ ସରକାରୀ ଅର୍ଥ ହଡ଼ପ ହେଉଛି । ତେଣୁ ସୂଚନା ଫଳକକୁ ପ୍ରହସନରେ ପରିଣତ ନ କରି ସେଥିରେ କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ସର୍ବସାଧାରଣଙ୍କ ନିମନ୍ତେ ସବିଶେଷ ସୂଚନା ପ୍ରଦାନ କରିବା ସହ କାର୍ଯ୍ୟାରମ୍ଭ ସହ କାର୍ଯ୍ୟ ସରିବାର ସୂଚନା ମଧ୍ୟ ଲିପିବଦ୍ଧ କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।