Photo For The News Of Medical

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ନିମ୍ନମାନର

State

ଆଗରପଡ଼ା :ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମିର ବିକାଶ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି । ଉକ୍ତ ଅର୍ଥରେ ଇତି ମଧ୍ୟରେ କୋଠା ଘର ନିର୍ମାଣକାର୍ଯ୍ୟ ଚାଲିଛି । ଉକ୍ତ କାର୍ଯ୍ୟରେ ନିମ୍ନମାନର ବାଲି ବ୍ୟବହାର ହେଉଥିବାର ଦେଖିବାକୁ ମିଳିଛି । ଯାହାକି କୋଠାଘରର ସ୍ଥାଇତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସମସ୍ୟାକୁ ନେଇ ସଂପୃକ୍ତ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବପର ହୋଇପାରିନଥିଲା । ସେହିପରି ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନିର୍ମାଣାଧିନ ସ୍ଥାନରେ ଆଜି ପର୍ଯ୍ୟନ୍ତ ଫଳକ ନିର୍ମାଣ ହୋଇ ନାହିଁ । କୋଟିକୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେଉଥିଲେ ସୁଦ୍ଧା ଉକ୍ତ ଯୋଜନା କ’ଣ ତାହାର କୌଣସି ସୂଚନା ଦିଆନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି ।

ସରକାର ସୂଚନା ଫଳକ ନିର୍ମାଣ ଓ ସୂଚନା ଲେଖିବା ବାଧ୍ୟତାମୂଳକ କରିଥିବା ଓ ସର୍ବସାଧାରଣରେ ସରକାର କେଉଁ ବିଭାଗରୁ ଅର୍ଥ ପ୍ରଦାନ କରିଛନ୍ତି,କେତେ ଅର୍ଥ ଅନୁଦାନ ପ୍ରଦାନ କରିଛନ୍ତି । କାହା ନାମରେ କାର୍ଯ୍ୟଦେଶ ରହିଛି,କେଉଁ ଅଧିକାରୀ ତଦାରଖ କରୁଛନ୍ତି ଏବଂ କାର୍ଯ୍ୟାଦେଶର ଆରମ୍ଭ ଆଦି ସଂପର୍କରେ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଥିବା ବେଳେ ବିଭାଗ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରି ଉନ୍ନୟନ କାର୍ଯ୍ୟ କରି ଚାଲିଛନ୍ତି । ତେଣୁ ସର୍ବସାଧାରଣରେ ସୂଚନା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ମଧ୍ୟ ହେଉଛି । ଉକ୍ତ ସମସ୍ୟାକୁ ନେଇ ସଂପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏଥି ପ୍ରତି ଦୃଷ୍ଟି ଦେବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନିର୍ମାଣାଧିନ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଭଦ୍ରକ ,ବାଲେଶ୍ୱର ଓ କେନ୍ଦୁଝର ଏହିପରି ୩ଗୋଟି ଜିଲ୍ଲାର ବାସୀନ୍ଦା ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବାରୁ ସୂଚନା ଫଳକ ନିର୍ମାଣ ଗୁରୁତ୍ୱ ବହନ କରୁଛି । ତେଣୁ ବିଭାଗୀୟ ଅଧିକାରୀ କାର୍ଯ୍ୟସ୍ଥଳୀ ନିକଟରେ ସୂଚନା ଫଳକ ନିର୍ମାଣ କରିବା ସହ ହେଉଥିବାର ନିମ୍ନମାନର କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।