Onn 3

ସରକାରୀ ରାସ୍ତାକୁ ଜବର ଦଖଲ ପ୍ରସଙ୍ଗ, ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନସ୍ଥ ଅଣିଜୋ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନ ଚାରିଗାଁ ମୌଜାରେ ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ନେଇ ଚାରିଗାଁ ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ;ଚାରିଗାଁ ଗ୍ରାମ ମଧ୍ୟ ଦେଇ କୁଆଁଶମଢିଆ-କାଉପୁର ରାସ୍ତା ଯାଇଛି । ଉକ୍ତ ରାସ୍ତା ପାଶ୍ୱର୍ସ୍ଥ ଚାରିଗାଁ ଛକରେ ସର୍ବସାଧାରଣ ଖାତା ୫୫୨ପ୍ଲଟ ନଂ ୯୮୧ର ରକବା ଏ୦-୧୯ ଡ଼ିସିମିଲ ରାସ୍ତା କିସମ ଜମି ରହିଛି । ଏହି ରାସ୍ତାରେ ଚାରିଗାଁ ପଂଚାୟତ ପକ୍ଷରୁ ଏକ ଫାଟକ ନିର୍ମାଣ କରିବା ନିମନ୍ତେ ସ୍ଥିର କରାଯାଇଛି । ମାତ୍ର ଉକ୍ତ ସରକାରୀ ରାସ୍ତା ପ୍ଲଟକୁ ଲାଗି ଚାରିଗାଁ ଗ୍ରାମର ସ୍ୱର୍ଗତ ଚନ୍ଦ୍ରମଣି ସାହୁ ,ପିତା ସ୍ୱର୍ଗତ କାଳି ସାହୁଙ୍କ ଖାତା ନଂ ୧୫୧ ପ୍ଲଟ ନଂ୯୮୦ରେ ଏ୦-୦୯ଡ଼ିସିମିଲ ସ୍ଥିତିବାନ ସତ୍ୱ ରହିଛି ।

ତେବେ ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ ପୁଅ ମନୋଜ ତାଙ୍କର ସ୍ଥିତିବାନ ଖାତାକୁ ଘେରବନ୍ଦି କରିବା ସହିତ ସରକାରୀ ରାସ୍ତା ପ୍ଲଟକୁ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିଛନ୍ତି । ପଂଚାୟତ ଫାଟକ ନିର୍ମାଣ ନିମନ୍ତେ ଗ୍ରାମବାସୀ ଶ୍ରୀ ସାହୁଙ୍କୁ ସରକାରୀ ରାସ୍ତାରୁ ଜବରଦଖଲ ଉଠାଇ ଦେବାକୁ ନିବେଦନ କଲେ ସୁଦ୍ଧା ସେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତତ୍‌ସହିତ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିଥିବାରୁ ରାସ୍ତାଟି ସଙ୍କୁଚିତ ହେବା ଦ୍ୱାରା ବହୁ ସମୟରେ ବିଭିନ୍ନ ଦୂର୍ଘଟଣା ଘଟୁଛି । ତେଣୁ ପଂଚାୟତର ସ୍ୱାର୍ଥକୁ ଆଖିଆଗରେ ରଖି ଉକ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ନିମନ୍ତେ ବାସନ୍ତି ପଣ୍ଡା,ବାସନ୍ତି ରାଉତ,ରଥ ପଣ୍ଡା,ମୋହନ ପଣ୍ଡା,ପ୍ରତିଭା ପଣ୍ଡା,ରବିନ୍ଦ୍ର ସାହୁ, ପ୍ରମୁଖ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଉକ୍ତ ସମସ୍ୟାକୁ ବନ୍ତ ତହସିଲଦାର ଓ ଆଗରପଡ଼ା ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।