Onn 3

୫ବର୍ଷ ପରେବି ଜନକଲ୍ୟାଣରେ ଲାଗିପାରିଲାନି କଲ୍ୟାଣମଣ୍ଡପ, ୧୦ ଲକ୍ଷ ମଂଜୁର ପରେବି ପ୍ରକଳ୍ପ ଅନିଶ୍ଚିତ

State

ଆଗରପଡ଼ା:ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁ ନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତର କଲ୍ୟାଣମଣ୍ଡପ ନିର୍ମାଣ କ୍ଷେତ୍ରରେ । ୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା ।

ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଅଧାପନ୍ତରିଆ ଅବସ୍ଥାରେ ରହିଛି । ସ୍ଥାପିତ ଫଳକରେ କାର୍ଯ୍ୟାରମ୍ଭର ସୂଚନା ମଧ୍ୟ ଆଜି ସୁଦ୍ଧା ସ୍ଥାଣିତ ହୋଇପାରି ନଥିବା ବେଳେ କାମ ନ ସରୁଣୁ ବାରମ୍ବାର କାନ୍ଥ ଫାଟୁଥିବାରୁ ସାଧାରଣରେ ଉକ୍ତ ପ୍ରକଳ୍ପର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଭିନ୍ନ ସମୟରେ ଉକ୍ତ କଲ୍ୟାଣମଣ୍ଡପ ସମସ୍ୟାକୁ ନେଇ ‘ଓଏନଏନ’ରେ ଖବର ପ୍ରକାଶିତ ହେବା ପରେ ଗତ ଜୁଲାଇ ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସୂଚନା ଅନୁଯାୟୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ନହେବାରୁ ଉକ୍ତ କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ମଂଜୁର ଅର୍ଥ ଫେରସ୍ତ ହୋଇଯାଇଥିବା ଜଣାପଡ଼ିଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ବିଭାଗୀୟ ଅଧିକାରୀ ନିର୍ମାଣକୁ ୫ବର୍ଷ ପରେବି ଜନକଲ୍ୟାଣରେ ଲାଗି ପାରୁନଥିବା କଲ୍ୟାଣମଣ୍ଡପକୁ କାର୍ଯ୍ୟକ୍ଷମ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।