Onn 3

ସଂଖ୍ୟା ଯାହାର ଯେତେ, ଭାଗ ପାଇବେ ସେମାନେ ସେତେ: ସାମାଜିକ ନ୍ୟାୟ ଅଭିଯାନର ଜିଲ୍ଲା ସମ୍ମିଳନୀରେ ଆନ୍ଦୋଳନ ନିଷ୍ପତ୍ତି

State

ବାରିପଦା: ସ୍ଥାନୀୟ ଶହିଦ ସ୍ମୃତି ଭବନରେ ମୟୂରଭଞ୍ଜ ସାମାଜିକ ନ୍ୟାୟ ଅଭିଯାନର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଖ୍ୟାନୁପାତିକ ଅଧିକାର ହାସଲ ପାଇଁ ଆନ୍ଦୋଳନ କରିବାର ନିଷ୍ପତ୍ତି ନିଆଯାଇଛି। ସହମତି ପ୍ରକାଶ ପାଇଛି “ସଂଖ୍ୟା ଯାହାର ଯେତେ, ଭାଗ ପାଇବେ ସେମାନେ ସେତେ” ନୀତିର ଅନୁସରଣ ପାଇଁ। ଜିଲ୍ଲା ଆବାହକ ଅବନୀ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପକ ଗୋପବନ୍ଧୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ଯେଉଁ ବିଶିଷ୍ଟ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟର ପୃଷ୍ଠପୋଷକତା କରୁଥିବା ବ୍ଯକ୍ତିବିଶେଷ ଯୋଗଦେଇ ଉଦବୋଧନ ଦେଇଥିଲେ ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ଶ୍ରୀକାନ୍ତ ଜେନା, ପଶ୍ଚିମବଙ୍ଗର ଉପଭୋକ୍ତା ମନ୍ତ୍ରୀ ଶ୍ରୀକାନ୍ତ ମାହାତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଆରଜେଡିର ଉପସଭାପତି ଦେବେନ୍ଦ୍ର ପ୍ରସାଦ ଯାଦବ, ସାଂସଦ ତଥା ଜେଡିଇଉର ସାଧାରଣ ସମ୍ପାଦକ ଗିରିଧର ଯାଦବ, ରାଜ୍ୟ ଆବାହକ ଅକ୍ଷୟ ମଲ୍ଲିକ, ପୂର୍ବତନ ବିଧାୟକ ଦେବୀ ଚାନ୍ଦ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ସିପିଆଇ-ଏମଏଲର ରାଧାକାନ୍ତ ସେଠୀ, ପୂର୍ବତନ ବିଧାୟକ, ସିପିଏମର ସୁଶୀଲ ହୁରି, ରାଜ୍ୟ ବିଏସପି ସାଧାରଣ ସମ୍ପାଦକ ମଧୁସୂଦନ ଯାଦବ, ପୂର୍ବତନ ବିଧାୟକ କାହ୍ନୁ ସୋରେନ, ଅଲ ଇଣ୍ଡିଆ ଫରୱାଡ ବ୍ଲକର ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର, ଜେଏମଏମର ପ୍ରବକ୍ତା ଶିବାଜୀ ମୌଳିକ ପ୍ରମୁଖ। ଶ୍ରୀକାନ୍ତ ଜେନା ଓଡ଼ିଶାରେ କିପରି ଏସଟି, ଏସସି ଓ ଓବିସି ମାନଙ୍କୁ ପ୍ରତାରିତ କରାଯାଉଛି ତାହା ଉଲ୍ଲେଖ କରିଥିଲେ।

ରାଜ୍ୟରେ ଓବିସି ଙ୍କୁ ଶିକ୍ଷା ଓ ଚାକିରୀରେ ୨୭% ସଂରକ୍ଷଣ ନଦେଇ କିପରି ଭୁଆଁ ବୋଲାଯାଉଛି ତାହା କହିଥିଲେ। ରାଜ୍ୟର ଏହି ବର୍ଗର ଲୋକଙ୍କୁ ଚାକିରୀରେ ମାତ୍ର ୧୧.୨୫% ସଂରକ୍ଷଣ ଦେବା ପରିହାସ ମାତ୍ର। ସେହିପରି ଏସଟି ଓ ଏସସିଙ୍କୁ ତାଙ୍କ ଲୋକସଂଖ୍ୟା ମୁତାବକ ଶିକ୍ଷା କ୍ଷେତ୍ରରେ ୪୦% ସଂରକ୍ଷଣ ନଦେଇ ୨୦% ସଂରକ୍ଷଣ ଦେବା ଅନ୍ୟ ଏକ ପ୍ରତାରଣା। ଜିଲ୍ଲାରେ ତଥା ବାରିପଦା ସହରରେ ଅନେକ ପଟ୍ଟାବିହୀନ ବାସିନ୍ଦା ରହିଛନ୍ତି ସେମାନଙ୍କୁ ଯାଥାଶୀଘ୍ର ପଟ୍ଟା ପ୍ରଦାନ ପାଇଁ ସେ ଦାବୀ କରିଛନ୍ତି। ଏହା ସହିତ ବକ୍ତାମାନେ ଜିଲ୍ଲାକୁ କିପରି ଅବହେଳିତ କରି ରଖାଯାଇଛି ତାହା ଉଲ୍ଲେଖ କରିଥିଲେ। ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଓ ବ୍ଯବସ୍ଥାର ପରିବର୍ତ୍ତନ ପାଇଁ ଏକଜୁଟ ହେବାକୁ ରାଜ୍ୟ ବାହାରୁ ଆସିଥିବା ବକ୍ତାମାନେ କହିଥିଲେ। ମୟୂରଭଞ୍ଜ ବୀର ଓ ଶାହୀଦଙ୍କ ମାଟି, ତେଣୁ ସାମାଜିକ ନ୍ୟାୟ ଆନ୍ଦୋଳନର ଆରମ୍ଭ ଏହିଠାରୁ ଆରମ୍ଭ ହେବା ଗୁରୁତ୍ୱପୂର୍ଣ୍ଣ ବିଷୟ।
ଅନ୍ୟ ଯେଉଁମାନେ ମତବ୍ୟକ୍ତ କରିଥିଲେ ଓ ସାଙ୍ଗଠନିକ ଦାୟିତ୍ଵ ତୁଲାଇଥିଲେ ସେମାନେ ହେଲେ ପ୍ରକାଶ କର ମହାପାତ୍ର, ବସନ୍ତ କୁମାର ମହାନ୍ତ, ଅଂଜନି ମାହାତ, ନନ୍ଦ କୁମାର ମହାପାତ୍ର, ଭବାନୀ ସାହୁ ପ୍ରମୁଖ। ଶେଷରେ ସହ ଆବାହକ ରାକେଶ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।