Onn 3

ମୟୂରଭଞ୍ଜ ମିରର ଆବିଷ୍କାର କଲା ୧୧୧୫ ଫୁଟର ଅନାଲୋଚିତ ଜଳପ୍ରପାତ

State

ବାରିପଦା: ମର୍ତ୍ତ୍ୟର ନନ୍ଦନକାନନ କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜିବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଦୃଷ୍ଟି ଆଢୁଆଳରେ ରହିଥିବା ଏଭଳି ସ୍ଥାନ ଗୁଡିକୁ ଲୋକଲୋଚନକୁ ଆଣିବା ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଜିଲ୍ଲାର ଚର୍ଚ୍ଚିତ ସଂଗଠନ ମୟୂରଭଞ୍ଜ ମିରରର ସଦସ୍ୟ ମାନେ ଶିମିଳିପାଳ ଜାତୀୟ ଉଦ୍ୟାନର ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀ ଠାରୁ ପ୍ରାୟ ୫ କି.ମି. ଗଭୀର ଜଙ୍ଗଲ ମଧ୍ୟରେ ଆବିଷ୍କାର କରିଛନ୍ତି ସୁବର୍ଣ୍ଣଝରଣ ନାମକ ଏକ ଆକର୍ଷଣୀୟ ଓ ଅନାଲୋଚିତ ୧୧୧୫ ଫୁଟ ଉଚ୍ଚର ଜଳପ୍ରପାତ। ୬ ସ୍ତର ବିଶିଷ୍ଟ ଏହି ସୁବର୍ଣ୍ଣଝରଣ ଜଳପ୍ରପାତର ୪ଟି ସ୍ତର ଦୃଶ୍ୟମାନ ହେଉଥିବା ବେଳେ ଅନ୍ୟ ଦୁଇଟି ସ୍ତର ଗଛପତ୍ର ର ସବୁଜ ଆବରଣ ଭିତର ଦେଇ ବହୁଥିବାର ଜଣାଯାଇଛି |

ଘଞ୍ଚ ଅରଣ୍ୟ ପରିବେଷ୍ଟିତ ଏହି ଅଞ୍ଚଳଟି ରେ ଏଭଳି ଏକ ଜଳପ୍ରପାତ ଆବିଷ୍କୃତ ହେବା ପରେ ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ୧୮ କି.ମି.ର ଦୁଃସାହସିକ ଯାତ୍ରାରେ ଅଙ୍କାବଙ୍କା ରାସ୍ତାରେ ସର୍ବମୋଟ ୮.୫ କି.ମି. ପାହାଡ ଚଢି ଜଳପ୍ରପାତର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ସହ ଏହି ଜଳପ୍ରପାତକୁ ଆବିଷ୍କାର କରିଥିଲେ ସଂଗଠନର ସଦସ୍ଯ ମାନେ। ଏହି ଦୁଃସାହସିକ ଯାତ୍ରାରେ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ବର ଭଞ୍ଜ, ବିଶ୍ବଜିତ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ ପ୍ରମୁଖ ସାମିଲ ଥିଲେ।