Onn 3

ଏସସିବିରେ ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା କଟିଲା ଲାଇନ, ରୋଗୀ ହନ୍ତସନ୍ତ

Crime State

 

ele

କଟକ: କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।  ନିଦାନ ବିଭାଗରେ ବିଦ୍ୟୁତ ନଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗତକାଲିଠୁ ଏହି ସମସ୍ୟା ଲାଗି ରହିଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନାହିଁ ନଥିବା ସମସ୍ୟା ଉପୁଜିଛି । ପ୍ରାୟ ୧୦ଘଣ୍ଟା ଧରି ବିଜୁଳି କଟିଯିବାରୁ ଏକାଧିକ ବିଭାଗ ଅନ୍ଧାରରେ ରହିଥିଲା । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା । ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା । ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସ୍ସିବିରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନଥିଲା । ଫଳରେ କିଛି ବିଭାଗରେ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ, ଆଜି ପୁଣି ବିଦ୍ୟୁତ ବିଭ୍ରାଟ ହେବାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗତ କିଛି ଦିନ ତଳୁ ନର୍ସିଂ ଅଫିସରମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ପରେ କୌଣସି ସମାଧାନ ନ ହେବାରୁ ସେମାନଙ୍କ ଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଆଗରେ ନର୍ସିଂ ଅଫିସରମାନେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ନର୍ସିଂ ଅଫିସର ମାନେ ସୁପରିଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯଦି ଏହାର ସମାଧାନ ନହୁଏ ତେବେ ପୁନର୍ବାର ଧାରଣା ଦେବା ସହ ସ୍ୱାସ୍ଥ୍ୟ ସେବାକୁ ବନ୍ଦ କରିଦେବା ପାଇଁ ସଂଘ ଚେତାବନୀ ଦେଇଛି। ଆଜି ପାଖାପାଖି ଶତାଧିକ ନର୍ସିଂ ଷ୍ଟାଫ୍‌ ଧାରଣାରେ ବସିଥିବା ଦେଖାଯାଇଛି।