ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏ ନେଇ ଆଜି ଦଳ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।
ବିପିନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ, ବିଧାୟକ ସୂର୍ଯ୍ୟ ପ୍ରାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ହାରିବା ଭୟରେ ନିର୍ବାଚନ ବନ୍ଦ କରି ଦେଇଛନ୍ତି । ଏଠି କହିରଖିବୁ, ସୂର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଏଠାରେ ବିଜେଡି ଦୁଇ ଭାଗ ହୋଇଯାଇଥିବା କୁହାଯାଉଛି । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ଦୁଇଟି ଗୋଷ୍ଠୀ ଗଢିଥିବା କୁହାଯାଉଛି ।