Onn 3

ତିନି ଦିନିଆ ସାମର୍ଥ୍ୟ ତାଲିମ ଶିବିର ଉଦଯାପିତ

State

ବାରିପଦା: ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟିର ବିଭିନ୍ନ ବିଦ୍ୟାଲୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ 2 ଟି ପର୍ଯ୍ୟାୟରେ 3 ଦିନିଆ ‘ସାମର୍ଥ୍ୟ ତାଲିମ ଶିବିର ପାଲବଣୀ ନିକଟସ୍ଥ ଲେଡି ହାମିଲଟନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇ ଯାଇଛି I ଏଥିରେ ବାରିପଦାର ମୋଟ 13 ଟି କ୍ଲଷ୍ଟରରୁ 102 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ I ଚଳିତ ମାସ 21 ତାରିଖରେ ବାରିପଦା ବ୍ଲକ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ପ୍ରଧାନ ଏହି ଶିବିରକୁ ଉଦଘାଟନ କରିବା ସହ ସ୍ୱତନ୍ତ୍ର ବର୍ଗର ପିଲାଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରି ହେବ ସେଦିଗରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ ଲାଗି ପରାମର୍ଶ ଦେଇଥିଲେ I ଏହି ତାଲିମ ଶିବିରରେ 21 ପ୍ରକାର ଭିନ୍ନକ୍ଷମ ପିଲାଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ତଥା ଏ ପ୍ରକାର ପିଲା ଥିଲେ କିପରି ଶ୍ରେଣୀଗୃହ ପରିଚାଳନା କରାଯିବ ଏସବୁ ଉପରେ ସବିଶେଷ ଆଲୋଚନା କରା ଯାଇଥିଲା I

ଏହା ସହ ଏପ୍ରକାର ପିଲାଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ପାଇବା ଲାଗି କଣ କରିବା ଆବଶ୍ୟକ ମଧ୍ୟ ଆଲୋଚନା ହୋଇଥିଲା I ସର୍ବଶିକ୍ଷା ଅଭିଯାନ ତରଫରୁ କେଉଁ କେଉଁ ସାମଗ୍ରୀ ମିଳେ ତାହା ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ସବିଶେଷ ବର୍ଣ୍ଣନା କରାଯାଇଥିଲା I ଏଥିରେ ଅଡିଓ ଭିଜୁଆଲ ବ୍ୟବସ୍ଥା ମାଧ୍ୟମରେ ତାଲିମ ଦିଆ ଯାଇଥିବାରୁ ସମସ୍ତ ପ୍ରଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I ଉଦଯାପନୀ ଦିବସରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ ସ୍ୱତନ୍ତ୍ର ବର୍ଗର ପିଲା ମାନଙ୍କୁ ମୁଖ୍ୟ ସ୍ରୋତ କୁ ଆଣିବାରେ ସମସ୍ତ ସହଯୋଗର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ I ସାଧନ କର୍ମୀ ଭାବେ ରେଖାରାଣୀ ଦାସ, ସୁଶୀଲ କୁମାର ପଣ୍ଡା, ସୌମ୍ୟ ଦାଶ, ପଙ୍କଜ କୁମାର ମିଶ୍ର ତାଲିମ ଦେଇଥିଲେ I ସାଧନ କର୍ମୀ ଦିଲ୍ଲୀପ କୁମାର ଦାସ ଶିବିର ପରିଚାଳନାରେ ସହାୟତା କରିଥିଲେ I