Onn 3

ସାହୁପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା, ଗୋଟିଏ କୋଠରିରେ ୩ ଶ୍ରେଣୀର ପାଠପଢା

State

ଆଗରପଡ଼ା: ଶିକ୍ଷକ ଅଛନ୍ତି, ପିଲାବି ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ କୋଠରୀରେ ୩ଟି ଶ୍ରେଣୀର ପାଠପଢା ଚାଲିଛି । ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅର୍ନ୍ତଗତ ସାହୁପଡା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟଠାରେ ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ୧୯୫୩ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ୧୩୫ଜଣ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୮ଟି ଶ୍ରେଣୀ ପାଇଁ ୪ଟି କୋଠରୀ ଉର୍ଦ୍ଦିଷ୍ଟ ଥିବା ବେଳେ ୭ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଇତି ମଧ୍ୟରେ ୬୯ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ଏହି ବିଦ୍ୟାଳୟର ଶୈକ୍ଷିକ ପରିବେଶରେ ଉନ୍ନତି ନ ହେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଗୋଟିଏ କୋଠରୀରେ ୩ଟି ଶ୍ରେଣୀର ପାଠ ପଢା କିପରି ଚାଲୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିବା ସହ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଥିବ ତାହା ସହଜରେ ଅନୁମେୟ । ୧ମ,୨ୟ ଓ ୩ୟ ଶ୍ରେଣୀ ,୪ର୍ଥ ଓ ୭ମ ଶ୍ରେଣୀ, ୫ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଗୋଟିଏ ଲେଖାଏଁ କୋଠରୀରେ ଅଧ୍ୟୟନ କରୁଥିବା ବେଳେ ୬ଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ କୋଠରୀରେ ଅଧ୍ୟୟନ କରୁଛନ୍ତି । ଏହିପରି ଭାବରେ ୪ଟି କୋଠରୀରେ ୮ଟି ଶ୍ରେଣୀର ପାଠପଢା ଚାଲିଛି । ଶିକ୍ଷା ଅଧିକାର ଅଧିନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ନାଗରିକର ମୈାଳିକ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥିବାରୁ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ ଅଭିଭାବକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କ ଗୁରୁ ଦାଇତ୍ୱ ରହିଛି ।

ଉକ୍ତ ଯୋଜନାକୁ ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହି ବିଦ୍ୟାଳୟକୁ ଦେଖିଲେ ସରକାରଙ୍କ ଯୋଜନା ସଂପୂର୍ଣ୍ଣ ରୂପେ ଫେଲ ମାରିବାସହ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏବେ କେବଳ ପ୍ରଚାର ଓ ପ୍ରସାରରେ ସିମିତ ପ୍ରାୟ ଥିବାର ଜଣାପଡ଼େ । ବିଦ୍ୟାଳୟରେ ଅଫିସ ଗୃହ ନଥିବାରୁ ସରଞ୍ଝାମ ରଖିବା ପାଇଁ ଉଦ୍ଧିଷ୍ଟ ଗୃହରେ କାର୍ଯ୍ୟାଳୟ ଚାଲୁଛି । ମରାମତି ଅଭାବରୁ ରୋଷେଇ ଗୃହ ଅବସ୍ଥା ମଧ୍ୟ ବିଗିଡ଼ି ଗଲାଣି ଯଦ୍ୱାରା ରୋଷେଇ କାର୍ଯ୍ୟ ମଧ୍ୟ ଠିକ୍ ଭାବେ ସଂପାଦିତ ହୋଇ ପାରୁନି । ସେହିପରି ବିଦ୍ୟାଳୟ ପରିସରରେ ବିପଦ ଶଙ୍କୁଳ ଅବସ୍ଥାରେ ପୁରୁଣା ଗୃହ ଥିଲେ ସୁଦ୍ଧା ଏହାକୁ ଭାଙ୍ଗିବାର ପ୍ରଶାସନିକ ସ୍ତରରେ କୌଣସି ବ୍ୟବସ୍ଥା ହୋଇପାରିନଥିବାରୁ ଏହା ପିଲାଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି । ବିଦ୍ୟାଳୟଟିର ସମସ୍ୟାକୁ ନେଇ ଗତ ବର୍ଷ ସେପ୍ଟେମ୍ବର ମାସ ୧୨ ତାରିଖରେ ‘ସକାଳ’ରେ ଖବର ପ୍ରକାଶିତ ହେବାପରେ ସେହି ବର୍ଷ ନଭେମ୍ବର ମାସ ୨୧ ତାରିଖରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଉକ୍ତ ବିଦ୍ୟାଳୟକୁ ଆସି ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ବିଷୟରେ ଅବଗତ ହୋଇ ଏହାକୁ ୫-ଟିରେ ସାମିଲ କରିବାର ସମସ୍ତ ପ୍ରୟାସ କରିବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଏହା କେବଳ ପ୍ରତିଶ୍ରୁତିରେ ରହି ଯାଇଥିବା ଜଣାପଡ଼ିଛି । ତେଣୁ ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସବୁ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।