Onn 3

ଛିଣ୍ଡି ଗଲା ସ୍ୱାମୀର ହାତ, ସ୍ତ୍ରୀ ମୃତ

State

ଜଳେଶ୍ୱର: ଶାଶୁଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହେଲେ ସ୍ବାମୀ -ସ୍ତ୍ରୀ। ଦୁର୍ଘଟଣାରେ ସ୍ବାମୀଙ୍କ ହାତ ଛିଣ୍ତି ବାହାରି ଯାଇଥିବା ବେଳେ ସ୍ତ୍ରୀଙ୍କ ଦୁଇଟି ଗୋଡ କଟି ଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ଯୁ ବରଣ କରିଥିବା ବେଳେ ସ୍ବାମୀ ଜୀବନ ମରଣ ସହ ସଘଂର୍ଷ କରୁଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ କମର୍ଦ୍ଦା – ଚନ୍ଦନେଶ୍ବର ମୁଖ୍ଯ ରାସ୍ତର ଥାନା ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା।

ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ରସଲପୁର ଗ୍ରାମର ଅଚିନ୍ତ ଦାସ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ ଦାସ ମହାପାତ୍ର ଦୁହେଁ ଏକ ସ୍କୁଟିରେ କାଳେହି ସ୍ଥିତ ଶଶୁର ଘରକୁ ଶାଶୁଙ୍କ ଶ୍ରାଦ୍ଧ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ଥାନା ଛକ ନିକଟରେ ପଛପଟୁ ଦ୍ରୁତତଗତିରେ ଆସୁଥିବା ଏକ ଡମ୍ଫର ସ୍କୁଟିକୁ ଧକ୍କା ଦେଇ ଉଭୟଙ୍କ ଉପରେ ଚଢି ଯାଇଥିଲା। ଫଳରେ ଅଚିନ୍ତଙ୍କ ଗୋଟିଏ ହାତ ଛିଣ୍ତି ସମ୍ପୂର୍ଣ୍ଣ ବାହାରି ଯାଇଥିବା ବେଳେ ଜୟଶ୍ରୀଙ୍କ ଦୁଇଟି ଗୋଡ ଶରୀରରୁ ଅଲଗା ହୋଇଯାଇଛି।

ତେବେ ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ସ୍ତ୍ରୀ ଜୟଶ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଛି । ଅଚିନ୍ତଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଜଣାପଡିଛି। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦମ୍ପତିଙ୍କର ଦୁଇ ଜଣ ପୁଅ ଥିବା ଜଣା ପଡିଛି। ଅଚିନ୍ତ ସ୍ଥାନୀୟ ରସଲପୁର ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁ ଥିବାବେଳେ ତାଙ୍କ ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବା ଜଣାପଡିଛି। ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡିକ ଜବତ କରିବା ସହ ଡମ୍ପରର ହେଲପରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।