ଭୁବନେଶ୍ଵର: ଅଫେରା ରାଇଜରେ ଓଲିଉଡର ମହାନାୟକ । ଆଉ ନାହାନ୍ତି ଏଭରଗ୍ରୀନ୍ ହିରୋ । ଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ଉତ୍ତମ ମହାନ୍ତିଙ୍କ ପାର୍ଥିକ ଶରୀର । ପାର୍ଥିବ ଶରୀରକୁ ବିମାନବନ୍ଦରରୁ ସିଧାସଳଖ ଜଗନ୍ନାଥ ବିହାରସ୍ଥିତି ବାସଭବନକୁ ନିଆଯାଇଛି । ସେଠାରେ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିବାବେଳେ ପ୍ରବଳ ସଂଖ୍ୟାରେ ଶୁଭେଛୁ, ସିନେପ୍ରେମୀ ପହଂଚିଛନ୍ତି |
ତେବେ ଉତ୍ତମ ମହାନ୍ତିଙ୍କ ଵିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏକ୍ସରେ ଏକ ପୋଷ୍ଟ କରି ନିଜ ଶୋକବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି । ସେ ଲେଖିଛନ୍ତି ଯେ, ‘ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଉତ୍ତମ ମହାନ୍ତିଙ୍କ ବିୟୋଗ ସମ୍ବାଦ ଜାଣି ମୁଁ ମର୍ମାହତ । ଶ୍ରୀ ମହାନ୍ତି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରର ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ଜଣେ ମିଷ୍ଟଭାଷୀ ଓ ଅମାୟିକ ଭଦ୍ରବ୍ୟକ୍ତି ଭାବରେ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି । ତାଙ୍କ ପରିବାରବର୍ଗ ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି’ ।
କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଚକା ଡୋଳା କରୁଛି ଲୀଳା, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ଆମ ଘର ଆମ ସଂସାର, ବିଧିର ବିଧାନ, ଅକୁହା କଥା, ବସ୍ତ୍ର ହରଣ, ମା, ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ, ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର, ସହର ଜଳୁଛି, ରୁପା ଗାଁର ସୁନା କନିଆ, ମା ପରି କିଏ ହେବ, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ସେଇ ଝିଅଟି, ଧର୍ମ ସହିଲେ ହେଲା, ମୋ କୋଳ ତୋ ଝୁଲଣା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ, ସୁନା ଚଢ଼େଇ, ଫୁଲ ଚନ୍ଦନ, ଉଦଣ୍ଡି ସୀତା, ଯୋର ଯାର ମୂଲକ ତାର ଏମିତି ଆହୁରି ଅନେକ ଫିଲ୍ମରେ ତାଙ୍କ କଳାର ଯାଦୁ ଦେଖାଇଥିଲେ ଉତ୍ତମ । ଆଜି ତାଙ୍କୁ ହରାଇ ପୁରା ଓଲିଉଡ ଜଗତ ମର୍ମାହତ ।