Onn 3

ଗାଈ ବାଛୁରୀଙ୍କୁ ଚର୍ମ ବିଣ୍ଡି (ଲମ୍ପିସ୍କିନ୍‌)ରୋଗ ; ପ୍ରାଣୀଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଚିକିତ୍ସା ଏବଂ ସଚେତନ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଗାଈ ବାଛୁରୀମାନଙ୍କୁ ଚର୍ମବିଣ୍ଡି(ଲମ୍ପିସ୍କିନ୍‌) ରୋଗ ଦେଖାଦେଇଛି । ଏହି ରୋଗ ହେବା ମାତ୍ରେ ବାଛୁରୀମାନଙ୍କ ମୁହଁ ଓ ଦେହରେ ବିନ୍ଦୁ ବିନ୍ଦୁ ଫଟକା ହୋଇ ଘା’ ହୋଇଯାଉଛି । ଧିରେ ଧିରେ ଏହି ଫଟକା ଫାଟି ଘା’ ପଚି ସେଥିରୁ ପାଣି ବାହାରୁଥିବା ଦେଖାଦେଇଛି । ଏଭଳି ଦିନେ ଦୁଇଦିନ ହେବା ପରେ ବାଛୁରୀମାନେ ଦୁର୍ବଳ ହୋଇଯିବାରୁ ଠିଆ ହେବା ପାଇଁ ସକ୍ଷମ ହେଉନାହାଁନ୍ତି । ଏହାଦ୍ୱାରା ଅକାଳରେ ବହୁ ବାଛୁରୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏହି ରୋଗ ସଂକ୍ରମଣ ହୋଇ ଦିନକୁ ଦିନ ବ୍ୟାପି ଶତାଧିକ ବାଛୁରୀ ଏଥ୍‌ôରେ ଆକ୍ରାନ୍ତ ହୋଇଥିବା ଦେଖାଦେଇଛି । ଏଭଳି ରୋଗ ଦେଖି ଗୋପାଳକ ମାନେ ଭୟଭୀତ ହୋଇଯାଇଛନ୍ତି । ବିଶେଷ କରି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବାଲିଆପଦା ପଞ୍ଚାୟତ ପଞ୍ଚସରଙ୍ଗବଳରାମପୁର ଗ୍ରାମରେ ଏହା ଅଧିକ ପରିମାଣରେ ହୋଇଥିବା ବେଳେ ଅନ୍ୟସ୍ଥାନ ମାନଙ୍କରେ ମଧ୍ୟ ଏହି ରୋଗରେ ବାଛୁରୀମାନେ ଆକ୍ରାନ୍ତ ହୋଇଛନ୍ତି । ଏହି ରୋଗର ନିରାକରଣ ପ୍ରାଣୀ ଚିକିତ୍ସକ ମାନେ ଟୀକାକରଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସବୁ ବାଛୁରୀକୁ ଦିଆଯାଇପାରୁନାହିଁ ।

ଏହି ରୋଗ ସାଧାରଣତଃ ୭ଦିନରୁ ୬ମାସ ମଧ୍ୟରେ ଜନ୍ମ ହୋଇଥିବା ବାଛୁରୀ ଗୁଡ଼ିକୁ ଅଧିକ ପରିମାଣରେ ହେଉଅଛି । ନିୟମ ଅନୁଯାୟୀ ୬ମାସ ପରେ ବାଛୁରୀ ଗୁଡ଼ିକୁ ଟୀକାକରଣ କରିବା କଥା , ହେଲେ କମଦିନର ବାଛୁରୀକୁ ଟୀକାକରଣ କରାନଯାଇ ରୋଗର ଲକ୍ଷଣ ଦେଖି ତଦନୁସାରେ ଚିକିତ୍ସା କରାଯାଉଥିବା ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଦୀପ୍ତା ପରିଡ଼ା ପ୍ରକାଶ କରିଛନ୍ତି । ଗୋପାଳକ ମାନଙ୍କର ଅଭିଯୋଗ ଅନୁଯାୟୀ ଗୁରୁବାର ଦିନ ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶଚନ୍ଦ୍ର ବେଉରାଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ପଞ୍ଚସରଙ୍ଗ ବଳରାମପୁର ଗ୍ରାମରେ ପହଞ୍ଚି ଗାଈ ଗୋରୁମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ଇଂଜେକସନ ଓ ଔଷଧ ମଧ୍ୟ ଦେଇଛନ୍ତି । ଏହି ରୋଗର କିଭଳି ନିରାକରଣ କରାଯିବ ସେ ନେଇ କେତେକ ରୋଗାକ୍ରାନ୍ତ ବାଛୁରୀମାନଙ୍କ ଠାରୁ ରକ୍ତ ଓ ଲାଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଉକ୍ତ ରୋଗ ଭୟଙ୍କର ନୁହେଁ ଯେଉଁ ଗାଈ ବାଛୁରୀ ମାନଙ୍କୁ ଏହି ରୋଗ ହେଉଛି ସେଥିରେ ଗୋପାଳକ ମାନେ ଭୟଭୀତ ନହେବା ପାଇଁ ଡ଼ାକ୍ତର ଶ୍ରୀ ବେଉରା ପରାମର୍ଶ ଦେଇଛନ୍ତି ।